FeaturedGeneralLatest

ପୂର୍ବତନ ଶିକ୍ଷାମନ୍ତ୍ରୀ ଅନବିଲ୍ ମହେଶଙ୍କ ବାସଭବନରେ ସିସିବି ଚଢ଼ାଉ

ଚେନ୍ନାଇ(ସଂକେତ୍ ଟିଭି): ଘରୋଇ ସ୍କୁଲ ସମ୍ପର୍କିତ ୧୦୦ କୋଟି ଟଙ୍କା ଦୁର୍ନୀତି ମାମଲାରେ କେନ୍ଦ୍ରୀୟ କ୍ରାଇମ୍ ବ୍ରାଞ୍ଚ (ସିସିବି) ବୁଧବାର ସକାଳେ ତାମିଲନାଡୁର ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ଡିଏମକେ ନେତା ଅନବିଲ୍ ମହେଶଙ୍କ ତିରୁଚିରାପାଲ୍ଲି ବାସଭବନରେ ଚଢ଼ାଉ କରିଛି। ଡିଏମକେ ନେତାଙ୍କ ବାସଭବନରେ ତଲାସି ସିସିବିର ତଦନ୍ତର ଏକ ଅଂଶ।

ସରକାରୀ ଅନୁମୋଦନ ଓ କ୍ଲିୟରାନ୍ସ ପାଇବାର ପ୍ରତିଶ୍ରୁତି ଦେଇ ଘରୋଇ ସ୍କୁଲ ମ୍ୟାନେଜମେଣ୍ଟଠାରୁ ବିପୁଳ ପରିମାଣର ଟଙ୍କା ଆଦାୟ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ଚଢ଼ାଉ ଚାଲିଥିବା ସମୟରେ ପୂର୍ବତନ ମନ୍ତ୍ରୀଙ୍କ ବାସଭବନ ବାହାରେ ଅନେକ ଡିଏମକେ କର୍ମୀ ରୁଣ୍ଡ ହୋଇଥିଲେ।

ଗତ ଜୁନ୍ ମାସରେ ସିସିବି ଡିଏମକେ ନେତା ବିଟି ଆରାସକୁମାରଙ୍କୁ ଗିରଫ କରିଥିଲା। ପୁଲିସ ଅଭିଯୋଗ କରିଛି ଯେ, ସରକାରୀ ଅନୁମୋଦନ ଓ କ୍ଲିୟରାନ୍ସ ନାଁରେ ଆରାସକୁମାର ଅନେକ ସ୍କୁଲ ମ୍ୟାନେଜମେଣ୍ଟଠାରୁ ୧୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଆଦାୟ କରିଥିଲେ।

ଆରାସକୁମାର ତାମିଲନାଡୁ ପ୍ରାଇଭେଟ୍ ସ୍କୁଲ୍ ଆସୋସିଏସନ୍ ନାମକ ଏକ ଅଣପଞ୍ଜିକୃତ ସଂଗଠନ ପରିଚାଳନା କରୁଥିଲେ। ସେ ତାଙ୍କର ରାଜନୈତିକ ଓ ସରକାରୀ ସମ୍ପର୍କକୁ ବ୍ୟବହାର କରି ଘରୋଇ ସ୍କୁଲ୍ ପାଇଁ ସ୍ଥାୟୀ ସ୍ୱୀକୃତି, ଗ୍ରେଡ୍ ଅପଗ୍ରେଡ୍ ଓ ବିଭିନ୍ନ ସରକାରୀ ଏଜେନ୍ସିରୁ ଅନୁମୋଦନ ଆଣିପାରିବେ ବୋଲି ଦାବି କରୁଥିଲେ।

ଡିସେମ୍ବର ୨୦୨୪ରେ ଆସୋସିଏସନ୍ର ଉଦ୍ଘାଟନବେଳେ ମନ୍ତ୍ରୀ ଅନବିଲ୍ ମହେଶ ଓ ସ୍କୁଲ ଶିକ୍ଷା ବିଭାଗର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିବା ଅଭିଯୋଗ ହୋଇଛି। ଘରୋଇ ସ୍କୁଲ ମ୍ୟାନେଜମେଣ୍ଟ ପକ୍ଷରୁ ଅନେକଗୁଡ଼ିଏ ଅଭିଯୋଗ ପାଇବା ପରେ ସିସିବି ଏହାର ତଦନ୍ତକୁ ବ୍ୟାପକ କରିଛି।

ଆରାସକୁମାରଙ୍କ ଗିରଫଦାରୀ ପରେ ପୁଲିସ ତାଙ୍କ ବିରୋଧରେ ଗୁଣ୍ଡା ଆଇନ ଲଗାଇଛି। ବୁଧବାର ଡିଏମକେ ନେତାଙ୍କ ବାସଭବନରେ ଚଢ଼ାଉ ଚାଲିଛି।