ଶିଳ୍ପାୟନ ଅଭିଯାନ ବ୍ୟାପକ କରାଯାଉଛି, ପୁଅଝିଅଙ୍କୁ ନିଜ ମାଟିରେ ମିଳିବ ଚାକିରି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ୍ ଟିଭି) ରାଜ୍ୟର ଯୁବପିଢ଼ିଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ଆମ ସରକାର କାମ କରୁଛନ୍ତି। ପୁଅଝିଅ ମାନେ ପାଠପଢ଼ା ଶେଷ କରିବା ପରେ ଯେଭଳି ନିଜ ମାଟିରେ ସମ୍ମାନଜନକ ଚାକିରି ପାଇପାରିବେ ତାହା ଆମ ସରକାରଙ୍କ ମୂଳ ଲକ୍ଷ୍ୟ। ସେଥିପାଇଁ ଶିଳ୍ପାୟନ ଅଭିଯାନକୁ ବ୍ୟାପକ କରାଯାଉଛି। ଆଗାମୀ ଦିନରେ ପ୍ରତିଷ୍ଠା ହେବାକୁ ଥିବା କାରଖାନା ଓ କାର୍ଯ୍ୟାଳୟଗୁଡିକରେ ନିଯୁକ୍ତି ଲାଗି ଯୁବବର୍ଗଙ୍କୁ ପ୍ରସ୍ତୁତ କରିବାକୁ ଆବଶ୍ୟକ ଦକ୍ଷତା ତାଲିମ ଦିଆଯାଉଛି।
ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତ ଶେଷ କରି ଆଜି ପୂର୍ବାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ତାଙ୍କୁ ସେଠାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା।
ସେ କହିଲେ, ଗତ ଦୁଇ ବର୍ଷରେ ଶିଳ୍ପାୟନ ଅଭିଯାନ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି, ଯାହା ଅର୍ଥନୈତିକ ଅଭିବୃଦ୍ଧି ତ୍ଵରାନ୍ନିତ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶାର ପରିକଳ୍ପନା ଏବଂ ଆସନ୍ତା ଦଶ ବର୍ଷରେ ଓଡିଶାକୁ ୫୦୦ ବିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଆମ ଉଦ୍ୟମ ଜାରି ରହିଛି।
ୟୁଏଇ ଗସ୍ତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୟୁଏଇର ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ତଥା ଅନ୍ତର୍ଜାତୀୟ ନିବେଶ ପରିଷଦର ଅଧ୍ୟକ୍ଷ ଅବଦୁଲା ବିନ୍ ତକ୍ ଅଲ୍ ମାରି, ଆଇଏଚ୍ସିର ପରିଚାଳନା ନିର୍ଦ୍ଦେଶକ ସୟଦ ବସର୍ ସୁଏବ୍ଙ୍କ ସହିତ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଥିଲା। ଆଇଏଚ୍ସି ଓ ଆଦାନୀ ଗ୍ରୁପ୍ ମଧ୍ୟରେ ୧୪ଟି ନୂଆ ପ୍ରକଳ୍ପ ପାଇଁ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଛି। ଏହି ଦୁଇ କମ୍ପାନୀର ଆଲୁମିନିୟମ ପ୍ରକଳ୍ପ ରାୟଗଡା ଓ ସୁନ୍ଦରଗଡ଼ରେ ସ୍ଥାପନ ନେଇ ଉଦ୍ୟମ ଜାରି ରହିଛି। ଏଥି ସହିତ ୟୁଏଇର ସଫଳ ଓଡିଆ ଉଦ୍ୟୋଗୀ ଓ ପ୍ରବାସୀ ଓଡିଆମାନଙ୍କ ସହ ଭାବ ଆଦାନପ୍ରଦାନ କରାଯାଇଥିଲା।
ଚଳିତ ମାସ ୮ରେ ୟୁଏଇ ଗସ୍ତ କରି ମୁଖ୍ୟମନ୍ତ୍ରୀ ଆବୁଧାବି ଓ ଦୁବାଇରେ ମୋଟ ୫୨ଟି ବ୍ୟବସାୟ ସମ୍ପର୍କିତ ବୈଠକ, ୬ଟି ରାଉଣ୍ଡଟେବୁଲ ଓ ୪୬ଟି ପ୍ରତ୍ୟକ୍ଷ ବୈଠକରେ ଯୋଗ ଦେବା ସହିତ ପ୍ରାୟ ୪୦୦ ଶିଳ୍ପ ନେତୃତ୍ୱ ଓ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ମୋଟ ୮ଟି ବୁଝାମଣା ପତ୍ର ଓ ୧୬ଟି ନିବେଶ ଇଚ୍ଛାପତ୍ର ଜରିଆରେ ୨,୪୩,୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ ହୋଇଥିଲା। ଏହାଦ୍ଵାରା ରାଜ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୯ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
୨୦୨୫ ଜାନୁଆରୀରେ ଭୁବନେଶ୍ୱରରେ ଅନୁଷ୍ଠିତ ‘ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ’ ପରେ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ଗୁଜରାଟ ଓ ସିଙ୍ଗାପୁର ଆଦିରେ ନିବେଶ ରୋଡ୍ ସୋ ଆୟୋଜନ କରାଯାଇଥିଲା। ରାଜ୍ୟକୁ ଆସିଥିବା ମୋଟ ନିବେଶ ପ୍ରସ୍ତାବ ୨୨.୫ ଲକ୍ଷ କୋଟିରେ ପହଞ୍ଚିଛି। ପ୍ରାରମ୍ଭିକ ସ୍ତରରେ ସଫଳତା ପରେ ସରକାରଙ୍କ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ସବୁ ନିବେଶ ପ୍ରସ୍ତାବ ଓ ଏମ୍ଓୟୁଗୁଡ଼ିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରି ଉତ୍ପାଦନ ଆରମ୍ଭ କରିବା, ଯାହା ଆଗାମୀ ଦିନରେ ରାଜ୍ୟରେ ନିଯୁକ୍ତିର ଏକ ବଡ଼ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ, କୃଷ୍ଣଚନ୍ଦ୍ର ପାତ୍ର, ଗଣେଶ ରାମ ସିଂ ଖୁଣ୍ଟିଆ ଓ ଗୋକୁଳ ନନ୍ଦ ମଲ୍ଲିକ, ଶାସକ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
