CulturalFeaturedLatestNews

ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା, ମା’ ସମଲେଶ୍ୱରୀଙ୍କୁ ନବାନ୍ନ ଅର୍ପଣ

ଭୁବନେଶ୍ୱର (ସଂକେତ୍ ଟିଭି):ନୂଆ ଧାନକୁ ପ୍ରଥମେ ଦେବୀଙ୍କୁ ସମର୍ପଣ, ପରେ ପରିବାର ସହ ନବାନ୍ନ ଭକ୍ଷଣ କରାଯାଇଛି। ପଶ୍ଚିମ ଓଡ଼ିଶାର ଘରେ ଘରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ନୂଆ ଧାନ, ନୂଆ ଆଶା ଆଉ ନୂଆ ଉତ୍ସାହକୁ ନେଇ ପାଳନ ହେଉଛି ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ। ଚାଷ, ମାଟି ଓ ମଣିଷ ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ପ୍ରତୀକ ଏହି ପର୍ବ। ଚାଷୀ ନିଜ ପରିଶ୍ରମର ପ୍ରଥମ ଫସଲକୁ ନିଜେ ଗ୍ରହଣ କରିବା ପୂର୍ବରୁ ଇଷ୍ଟଦେବୀଙ୍କୁ ସମର୍ପଣ କରି କୃତଜ୍ଞତା ଜଣାଇଥାଏ।

ନୂଆଁଖାଇର ପ୍ରମୁଖ ଆକର୍ଷଣ ସମ୍ବଲପୁରର ମା’ ସମଲେଶ୍ୱରୀ ପୀଠ। ଚଳିତବର୍ଷ ନବାନ୍ନ ଲାଗି ପାଇଁ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଶୁଭଲଗ୍ନ ଧାର୍ଯ୍ୟ କରାଯାଇଥିଲା। ନିର୍ଦ୍ଧାରିତ ଲଗ୍ନରେ ମା’ ସମଲେଶ୍ୱରୀଙ୍କୁ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ଅର୍ପଣ କରାଯାଇଥିଲା।

ଏହାପରେ ଘରେ ଘରେ ନିଜ ଇଷ୍ଟଦେବତା ଓ ଗ୍ରାମଦେବୀଙ୍କୁ ନବାନ୍ନ ଅର୍ପଣ କରି ପରିବାର ସଦସ୍ୟ ଏକାଠି ନୂଆ ଅନ୍ନ ଭକ୍ଷଣ କରିଥିଲେ। ନୂଆଁଖାଇ’ର ଅର୍ଥ ହେଉଛି ନୂଆ ଅନ୍ନ ଖାଇବା। କିନ୍ତୁ ଏହାର ମହତ୍ତ୍ୱ କେବଳ ନୂଆ ଫସଲ ମଧ୍ୟରେ ସୀମିତ ନୁହେଁ। ନୂଆଁଖାଇ ପରିବାରକୁ ଏକାଠି କରେ, ଭାଇଚାରା ବଢ଼ାଏ ଏବଂ ପୁରୁଣା ମନୋମାଳିନ୍ୟ ଭୁଲି ନୂଆ ସମ୍ପର୍କର ଆରମ୍ଭ ପାଇଁ ସନ୍ଦେଶ ଦିଏ।

ନବାନ୍ନ ଭକ୍ଷଣ ପରେ ଆରମ୍ଭ ହୁଏ ‘ନୂଆଁଖାଇ ଜୁହାର’। ପରିବାରର ସାନମାନେ ବଡ଼ମାନଙ୍କୁ ଜୁହାର କରି ଆଶୀର୍ବାଦ ନିଅନ୍ତି। ସାଙ୍ଗସାଥୀ, ଆତ୍ମୀୟସ୍ୱଜନ ଓ ପଡ଼ୋଶୀ ପରସ୍ପରକୁ ନୂଆଁଖାଇ ଜୁହାର ଜଣାନ୍ତି। ଦୂରଦୂରାନ୍ତରେ ରହୁଥିବା ପରିବାର ସଦସ୍ୟମାନେ ମଧ୍ୟ ଏହି ଅବସରରେ ଘରକୁ ଫେରନ୍ତି। ସମ୍ବଲପୁର ସହ ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, ବୌଦ୍ଧ ଓ ଦେବଗଡ଼ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇଉଠିଛି।

ନୂଆ ପୋଷାକ, ଘର ସଫାସୁତରା, ପିଠାପଣା ଓ ପାରମ୍ପରିକ ଖାଦ୍ୟରେ ମହକୁଛି ପରିବେଶ। ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ଇଷ୍ଟଦେବୀଙ୍କୁ ନୂଆ ଅନ୍ନ ସମର୍ପଣର ସ୍ୱତନ୍ତ୍ର ପରମ୍ପରା ରହିଛି। ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କ ସହ ବଲାଙ୍ଗୀର-ପାଟଣାଗଡ଼ ଅଞ୍ଚଳରେ ମା’ ପାଟଣେଶ୍ୱରୀ, ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀ ଏବଂ କଳାହାଣ୍ଡିରେ ମା’ ମାଣିକେଶ୍ୱରୀଙ୍କ ପୀଠରେ ନୂଆଁଖାଇର ବିଶେଷ ପରମ୍ପରା ଦେଖିବାକୁ ମିଳେ।

ନବାନ୍ନ ଓ ଜୁହାର ପରେ ଜମିବ ନୂଆଁଖାଇ ଭେଟଘାଟ। ଢୋଲ, ନିଶାନ, ତାସାର ତାଳ ସହ ସମ୍ବଲପୁରୀ ଗୀତ ଓ ନୃତ୍ୟରେ ଦୁଲିବ ପଶ୍ଚିମ ଓଡ଼ିଶା। ଡାଲଖାଇ, ରସରକେଲି ଭଳି ଲୋକନୃତ୍ୟ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ନୂଆଁଖାଇର ଉତ୍ସବକୁ ଆହୁରି ରଙ୍ଗିନ କରିବ। ମାଟିକୁ ସମ୍ମାନ, ଚାଷୀର ପରିଶ୍ରମକୁ ସ୍ୱୀକୃତି, ଇଷ୍ଟଦେବୀଙ୍କ ପ୍ରତି କୃତଜ୍ଞତା ଏବଂ ପରିବାର-ସମାଜକୁ ଏକାଠି ବାନ୍ଧି ରଖିବାର ପରମ୍ପରା—ଏସବୁର ସମାହାର ହେଉଛି ନୂଆଁଖାଇ। ସେଥିପାଇଁ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ଏକ ଭାବନା ଓ ଜୀବନଧାରା।

ଓଡ଼ିଶାର କୃଷିଭିତ୍ତିକ ପର୍ବ ନୂଆଁଖାଇ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ନୂଆଁଖାଇ କେବଳ ଏକ ପର୍ବ ନୁହେଁ। ଏହା ଆମର ମାଟି, ସଂସ୍କୃତି, ଚାଲିଚଳଣୀ ଓ ସାମାଜିକ ଏକତାର ପ୍ରାଣସ୍ପନ୍ଦନ। ଏହି ଆନନ୍ଦମୟ ପର୍ବରେ ଆମେ ସମସ୍ତେ ଭେଦଭାବ ଓ ତିକ୍ତତା ଭୁଲି ଗୁରୁଜନଙ୍କୁ ମୁଣ୍ଡିଆଁ ମାରି ଆଶୀର୍ବାଦ ନେଇଥାଉ। ଏ ସୁନ୍ଦର ପରମ୍ପରା ଆମ ପରିବାର ଏବଂ ଭାଇଚାରା ବନ୍ଧନକୁ ଆହୁରି ମଜଭୁତ କରିଥାଏ।

ମୁଖ୍ୟମନ୍ତ୍ରୀ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ଯାଏଁ ବିକଶିତ ଭାରତ ଗଠନ ପାଇଁ ସମସ୍ତେ ନିଜ ନିଜ କର୍ତ୍ତବ୍ୟ ପାଳନ କରନ୍ତୁ ବୋଲି ଛାତ୍ରଛାତ୍ରୀ, ଶ୍ରମିକ, ଯବାନ ଓ ଚାଷୀ ଭାଇଙ୍କୁ ଅନୁରୋଧ କରିଛନ୍ତି। ନୂଆଁଖାଇ ସମସ୍ତଙ୍କ ଜୀବନରେ ନୂଆ ଆଶା ଆଣିଦେଉ ଏବଂ ମାଆ ସମଲେଇ ସମସ୍ତଙ୍କୁ ସୁଖ ସମୃଦ୍ଧି ଦିଅନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି