ହାଇକୋର୍ଟରେ ରାଜ୍ୟସଭା କ୍ରସ୍ ଭୋଟିଂ ମାମଲା: ୨୯ ତାରିଖକୁ ଘୁଞ୍ଚିଲା ଶୁଣାଣି
କଟକ (ସଂକେତ ଟିଭି): ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ମାମଲାର ଶୁଣାଣିକୁ ହାଇକୋର୍ଟ ୨୯ ତାରିଖକୁ ଘୁଞ୍ଚାଇଛନ୍ତି। ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ପ୍ରତିପକ୍ଷଙ୍କୁ ଜବାବ ତଲବ କରିଛନ୍ତି।
ଆସନ୍ତା ୨୮ ତାରିଖ ସୁଦ୍ଧା ପ୍ରତିପକ୍ଷ ତଥା ବାଚସ୍ପତି ନିଜର ଜବାବ ଦାଖଲ କରିବେ। ଆସନ୍ତା ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।
ରାଜ୍ୟସଭା କ୍ରସ୍ ଭୋଟିଂ ସମେତ ଆହୁରି ଏକାଧିକ ପ୍ରସଙ୍ଗକୁ ନେଇ ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ପ୍ରଥମେ ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲେ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଯାହାକୁ ଖାରଜ କରିଥିଲେ ବାଚସ୍ପତି।
ଉକ୍ତ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଏବେ ବିଜେଡି ହାଇକୋର୍ଟରେ ପୃଥକ ପୃଥକ ଭାବେ ୮ଟି ମାମଲା ଦାୟର କରିଛି। ସେଥି ମଧ୍ୟରୁ ଶୁକ୍ରବାର ୨ଟି ଆବେଦନର ଶୁଣାଣି କରିଛନ୍ତି ହାଇକୋର୍ଟ।
