ଗହମ ଏମ୍ଏସ୍ପି ୨୫ ଟଙ୍କା ବୃଦ୍ଧି କଲା କେନ୍ଦ୍ର କ୍ୟାବିନେଟ୍
ନୂଆଦିଲ୍ଲୀ(ସଂକେତ ଟିଭି): କେନ୍ଦ୍ର କ୍ୟାବିନେଟ୍ କୃଷକ ଏବଂ ଦେଶର ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର କ୍ୟାବିନେଟ୍ ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ଏହା ସହିତ ତିନି ବଡ଼ ଯୋଜନା ପାଇଁ ମୋଟ ୨,୭୯,୧୫୭ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ରବି ବିପଣନ ଋତୁ ୨୦୨୭-୨୮ ପାଇଁ ଗହମର ସର୍ବନିମ୍ନ ସହାୟକ ମୂଲ୍ୟରେ ୨୫ ଟଙ୍କା ବୃଦ୍ଧି କରାଯାଇଛି। ଏବେ ଗହମର ପ୍ରତି କ୍ୱିଣ୍ଟାଲ ଏମ୍ଏସ୍ପି ୨,୬୧୦ ଟଙ୍କା ହେବ। ଏହି ବୃଦ୍ଧି ଚାଷୀଙ୍କୁ ସେମାନଙ୍କ ଉତ୍ପାଦନର ଉପଯୁକ୍ତ ମୂଲ୍ୟ ସୁନିଶ୍ଚିତ କରିବାରେ ସହାୟକ ହେବ। କ୍ୟାବିନେଟ୍ ରବି ଫସଲଗୁଡ଼ିକର ମୂଲ୍ୟ ଲାଗି ୯୦,୯୬୨ କୋଟି ଟଙ୍କା ମଞ୍ଜୁର କରିଛି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କୃଷି ଖର୍ଚ୍ଚ ଏବଂ ମୂଲ୍ୟ ଆୟୋଗ (ସିଏସିପି) ଦ୍ୱାରା ଛଅ ପ୍ରମୁଖ ରବି ଫସଲ ପାଇଁ ଏମ୍ଏସ୍ପି ବୃଦ୍ଧି ସୁପାରିଶ କରାଯାଇଥିଲା।
ଗହମ: ଗହମର ଆନୁମାନିକ ଉତ୍ପାଦନ ଖର୍ଚ୍ଚ ୧,୨୬୪ ଟଙ୍କା ପ୍ରତି କ୍ୱିଣ୍ଟାଲ ଆକଳନ କରାଯାଇଛି। ଏବେ ଗହମର ଏମ୍ଏସ୍ପି ୨,୬୧୦ ଟଙ୍କା ପ୍ରତି କ୍ୱିଣ୍ଟାଲ ହେବ। ଏହି ମୂଲ୍ୟରେ ଚାଷୀଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ଉପରେ ସର୍ବାଧିକ ୧୦୬ ପ୍ରତିଶତର ନେଟ୍ ପ୍ରଫିଟ୍ ମାର୍ଜିନ୍ ମିଳିବ।
ସୋରିଷ: ସୋରିଷର ଆନୁମାନିକ ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ ପିଛା ୩,୩୬୭ ଟଙ୍କା ତୁଳନାରେ ଏମ୍ଏସ୍ପି ୭,୩୯୦ ଟଙ୍କା ପ୍ରତି କ୍ୱିଣ୍ଟାଲ ରଖାଯାଇଛି। ଏହି ଆଧାରରେ ଚାଷୀଙ୍କୁ ୫୯ ପ୍ରତିଶତର ପ୍ରଫିଟ୍ ମାର୍ଜିନ ସୁନିଶ୍ଚିତ କରାଯାଇଛି।
ମସୁର ଡାଲି: ମସୁର ଡାଲିର ସୁପାରିଶ କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୭,୩୯୦ ଟଙ୍କା, ଯାହାର ଉତ୍ପାଦନ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୩,୮୫୪ ଟଙ୍କା। ଚାଷୀମାନଙ୍କୁ ୯୨ ପ୍ରତିଶତ ଲାଭ ହେବ।
ଚଣା: ଚଣାର ଆନୁମାନିକ ଉତ୍ପାଦନ ମୂଲ୍ୟ ପ୍ରତି କ୍ୱିଣ୍ଟାଲ ୩,୭୫୧ ହୋଇଥିବା ବେଳେ ସୁପାରିଶ କରାଯାଇଥିବା ଏମ୍ଏସ୍ପି ୫,୯୫୮ ପ୍ରତି କ୍ୱିଣ୍ଟାଲ। ଏହା ମୂଲ୍ୟଠାରୁ ୫୯ ପ୍ରତିଶତ ଅଧିକ ମାର୍ଜିନ୍ ସୁନିଶ୍ଚିତ କରୁଛି।
ଯବ: ଯବ ଉତ୍ପାଦନ ଖର୍ଚ୍ଚ ପ୍ରତି କ୍ୱିଣ୍ଟାଲ ୧,୪୪୭ ଟଙ୍କା ଏବଂ ଏହାର ସୁପାରିଶ କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କ୍ୱିଣ୍ଟାଲ ୨,୨୮୬ ଟଙ୍କା ସ୍ଥିର କରାଯାଇଛି। ଚାଷୀମାନଙ୍କୁ ୫୮ ପ୍ରତିଶତ ଲାଭ ସୁନିଶ୍ଚିତ କରିବ।
କୁସୁମ: କୁସୁମର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୭,୨୧୫ ଟଙ୍କା ସୁପାରିଶ କରାଯାଇଛି, ଯାହା ଆନୁମାନିକ ଉତ୍ପାଦନ ମୂଲ୍ୟ କ୍ୱିଣ୍ଟାଲ ପିଛା ୪,୮୧୦ ଟଙ୍କା ଠାରୁ ୫୦ ପ୍ରତିଶତ ଅଧିକ।
ପ୍ରଧାନମନ୍ତ୍ରୀ ଧାରା ଯୋଜନା ପାଇଁ କ୍ୟାବିନେଟ୍ ୧,୮୬,୪୦୫ କୋଟି ଟଙ୍କାକୁ ଅନୁମୋଦନ କରିଛି। ଏହି ଯୋଜନା ନବୀକରଣ ଶକ୍ତିର ପହଞ୍ଚକୁ ସହଜ ଏବଂ ତ୍ୱରାନ୍ୱିତ କରିବା ଉପରେ କେନ୍ଦ୍ରୀତ।
ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ ସହିତ ଆନ୍ତଃରାଜ୍ୟ ପରିବହନ ପ୍ରଣାଳୀର ବିକାଶ ପାଇଁ କ୍ୟାବିନେଟ୍ ସବୁଜ ଶକ୍ତି କରିଡର ଫେଜ୍-୩ ଯୋଜନାକୁ ମଧ୍ୟ ଅନୁମୋଦନ କରିଛି। ଏହି ଯୋଜନା ୨୦୨୫ ସୁଦ୍ଧା ୯୦୦ ଗିଗାୱାଟ୍ ଅଣ-ଜୀବାଶ୍ମ ଇନ୍ଧନ କ୍ଷମତା ସ୍ଥାପନ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ।
