ଦୁର୍ଗା ପୂଜା ପୂର୍ବରୁ ମିଳିବ ବନ୍ୟା ପ୍ରଭାବିତଙ୍କୁ କ୍ଷତିପୂରଣ : ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ଦୁର୍ଗା ପୂଜା ପୂର୍ବରୁ ବକେୟା ଆକଳନ ସାରି କ୍ଷତିପୂରଣ ଦିଆଯିବ ବୋଲି ସରକାର ସ୍ଥିର କରିଛନ୍ତି। ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲା ପ୍ରମୁଖ ଭାବେ ପ୍ରଭାବିତ ହୋଇଥିଲା। ଏହାସହ ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି। ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି ଓ ବରଗଡ଼ ଜିଲ୍ଲାର ମଧ୍ୟ କିଛି ଅଞ୍ଚଳରେ ପ୍ରଭାବ ପଡ଼ିଛି।
ଶେଷ ପର୍ଯ୍ୟାୟରେ ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲା ପ୍ରଭାବିତ ହୋଇଛି। ବର୍ତ୍ତମାନ ଏହି ଅଞ୍ଚଳଗୁଡ଼ିକରେ ପାଣି ନିଷ୍କାସନ ଆରମ୍ଭ ହୋଇଛି। ସମ୍ପୂର୍ଣ୍ଣ ପାଣି ନିଷ୍କାସନ ପାଇଁ ଆହୁରି କିଛି ଦିନ ସମୟ ଲାଗିପାରେ।
ରାଜ୍ୟରେ ଏଯାଏଁ ୧୨ଟି ସାଇକ୍ଲୋନିକ୍ ଷ୍ଟର୍ମ ଆସିଥିବା ବେଳେ, ସେଥିରୁ ୫ଟି ଅବପାତରେ ପରିଣତ ହୋଇଥିଲା। ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲା ପ୍ରଭାବିତ ହୋଇଥିଲା। ମୋଟ ୨୮ଟି ଜିଲ୍ଲା କମ୍ ବେଶି ପ୍ରଭାବିତ ହୋଇଥିବାରୁ ସରକାରଙ୍କ ପକ୍ଷରୁ ମୋଟ ୨୪୧.୩୭ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
ଦକ୍ଷିଣ ଓଡ଼ିଶା ସମେତ ବିଭିନ୍ନ ପ୍ରଭାବିତ ଜିଲ୍ଲା ପାଇଁ ଗତକାଲି ଏସ୍ଆର୍ସିଙ୍କ ପକ୍ଷରୁ ଆଉ ୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଜିଲ୍ଲାଗୁଡ଼ିକର ବିସ୍ତୃତ ରିପୋର୍ଟ ଆସିବା ପୂର୍ବରୁ ରାଜସ୍ୱ ପର୍ଯ୍ୟାୟରେ ଏହି ଅର୍ଥ ପ୍ରଦାନ କରାଯାଇଛି। ଫଳରେ ଏପର୍ଯ୍ୟନ୍ତ ମୋଟ ୨୬୧.୩୭ କୋଟି ଟଙ୍କା ପ୍ରଦାନ କରାଯାଇଛି।
ଏହି ଅର୍ଥରାଶି ବିଭିନ୍ନ ଜିଲ୍ଲାରେ କ୍ଷୟକ୍ଷତି ଅନୁପାତରେ ଆବଣ୍ଟନ କରାଯାଉଛି। ଏହାଭିତରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ୧୬.୪୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ, ଜିଲ୍ଲା ପକ୍ଷରୁ ଏପର୍ଯ୍ୟନ୍ତ ୧୧.୨୧ କୋଟି ଟଙ୍କା ଆବଣ୍ଟନ କରାଯାଇ ଖର୍ଚ୍ଚ ହୋଇଛି।
ସେହିପରି ଯାଜପୁର ଜିଲ୍ଲାକୁ ୫୨.୦୪ କୋଟି ଟଙ୍କା ବିଭିନ୍ନ ହେଡ୍ରେ କ୍ଷତିପୂରଣ ବାବଦରେ ପ୍ରଦାନ କରାଯାଇଛି। ବାଲେଶ୍ୱର ଜିଲ୍ଲାକୁ ଯେଉଁ ଅର୍ଥ ଦିଆଯାଇଛି, ସେଥିରୁ ମାତ୍ର ୫.୫ କୋଟି ଟଙ୍କା ବଣ୍ଟାଯାଇଛି। ଏବେବି ବନ୍ୟା ପାଣି ଛାଡ଼ିନଥିବାରୁ ତାହା ସମ୍ଭବ ହୋଇପାରିନି।
ଏନେଇ ଆଜି ରାଜସ୍ୱ ମନ୍ତ୍ରୀ ଜିଲ୍ଲାପାଳମାନଙ୍କ ସହ ବୈଠକ କରିଥିଲେ। ଭିଡିଓ କନଫରେନ୍ସରେ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର କଥା କହିଥିଲେ। ଜିଲ୍ଲାପାଳଙ୍କ ସହ ଆଲୋଚନା ସମୟରେ ସମ୍ପୂର୍ଣ୍ଣ ପାଣି ନିଷ୍କାସନ ପାଇଁ ଆହୁରି ୬ରୁ ୭ ଦିନ ସମୟ ଲାଗିପାରେ ବୋଲି ଜଣାପଡ଼ିଛି। ସରକାର ଦୁର୍ଗାପୂଜା ପୂର୍ବରୁ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବାକୁ ସ୍ଥିର କରିଛନ୍ତି।
