ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡିଲେ ହରମନପ୍ରୀତ୍ କୌର
ନୂଆଦିଲ୍ଲୀ(ସଂକେତ ଟିଭି): ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟିକା ହରମନପ୍ରୀତ୍ କୌର ସମସ୍ତ ଫର୍ମାଟରୁ ନେତୃତ୍ୱ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ ମଙ୍ଗଳବାର ଇନଷ୍ଟାଗ୍ରାମ୍ ପୋଷ୍ଟରେ ଏନେଇ ସୂଚନା ଦେଇଛନ୍ତି ଏବଂ ଏକ ଭାବବିହ୍ୱଳ ପୋଷ୍ଟ କରିଛନ୍ତି।
ହରମନପ୍ରୀତ୍ କହିଛନ୍ତି ଯେ, ଏହା ତାଙ୍କ ପାଇଁ ସହଜ ନିଷ୍ପତ୍ତି ନଥିଲା। ଏହି ଯାତ୍ରା ବର୍ଷ ବର୍ଷ ଧରି ରହିଥିଲା ଏବଂ ଏଥିରେ ଅନେକ ସ୍ମରଣୀୟ ମୂହୁର୍ତ୍ତ ରହିଛି। ଏହି ସବୁ ମୂହୁର୍ତ୍ତ ତାଙ୍କ ସହ ସାରା ଜୀବନ ରହିବ।
ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଆଜି ସେ ସମସ୍ତ ଫର୍ମାଟରୁ ଭାରତୀୟ ମହିଳା କ୍ରିକେଟ୍ ଟିମର ଅଧିନାୟକ ପଦ ଛାଡିଛନ୍ତି। ସେ ଦଳ ଏବଂ ଦେଶ ପାଇଁ ବହୁତ କିଛି ଦେଇଛନ୍ତି ଏବଂ ନିଜର ସବୁକିଛି ପ୍ରଦାନ କରିଛନ୍ତି। ଏଥିରେ କେବଳ ପଡିଆରେ ବୁହାଇଥିବା ଝାଳ ନାହିଁ, ସମୟ ଏବଂ ନିଜର ଇଚ୍ଛା ବି ସାମିଲ ରହିଛି। ନିଜର ରକ୍ତ, ସମୟ ଏବଂ ପର୍ସନାଲ ଲାଇଫକୁ ତ୍ୟାଗ କରିବାକୁ ପଡିଛି।
ଅଧିନାୟିକା ଭାବେ ସେ ଅନେକ ସମୟରେ ନିଜର ବ୍ୟକ୍ତିଗତ ଇଚ୍ଛାଠୁ ଦଳକୁ ଅଧିକ ଫୋକସ କରିଛନ୍ତି। ଅନେକ ପରିସ୍ଥିତି ଆସିଛି ଯେତେବେଳେ ବ୍ୟକ୍ତିଗତ ଆଶା ଅପେକ୍ଷା ଦଳକୁ ପ୍ରାଥମିକତା ଦେବାକୁ ପଡିଛି। ତେବେ ହରମନପ୍ରୀତଙ୍କ ଏହି ନିଷ୍ପତ୍ତି ପରେ ଭାରତୀୟ ମହିଳା ଦଳରେ ଏକ ଯୁଗର ଅନ୍ତ ଘଟିଛି। ଏବେ ନୂଆ ଅଧିନାୟକ କିଏ ହେବ ତାହା ଉପରେ ନଜର ରହିବ।
ତେବେ ନେତୃତ୍ୱ ଛାଡିଥିଲେ ବି ସେ କ୍ରିକେଟ୍ ଖେଳିବା ଜାରି ରଖିବେ। ସେ ଦଳରେ ଖେଳାଳି ଭାବେ ଯୋଗଦାନ ଦେବେ ଏବଂ ଏବେ ସେ କେବଳ ଖେଳ ଉପରେ ଫୋକସ କରିବେ ବୋଲି କହିଛନ୍ତି।
