ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ଗ୍ରାହକ ସେବା ପ୍ରଭାବିତ
ଭୁବନେଶ୍ୱର (ସଂକେତ ଟିଭି): ସାରା ଦେଶରେ ଆଜି ବ୍ୟାଙ୍କ ଧର୍ମଘଟର ପ୍ରଭାବ ଦେଖିବାକୁ ମିଳିଛି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ (UFBU)ର ଆହ୍ୱାନରେ ଦିନିକିଆ ଧର୍ମଘଟ ଯୋଗୁଁ ରାଷ୍ଟ୍ରାୟତ ବ୍ୟାଙ୍କର ସେବା ପ୍ରଭାବିତ ହୋଇଛି। ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବ୍ୟାଙ୍କ କର୍ମଚାରୀ।
ୟୁନିୟନ୍ର ଅଭିଯୋଗ ଅନୁସାରେ, ଦୀର୍ଘଦିନର ଦାବି ଓ ଆଲୋଚନା ସତ୍ତ୍ୱେ ସମାଧାନ ନହେବାରୁ ଧର୍ମଘଟର ପଥ ବାଛିବାକୁ ପଡ଼ିଛି। ଆଗକୁ ସେପ୍ଟେମ୍ବର ୨୮, ୨୯, ୩୦ ଓ ଅକ୍ଟୋବର ୨୬ରେ ମଧ୍ୟ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ରହିଛି।
ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ (UFBU)ର ଆହ୍ୱାନରେ ଆଜି ଦିନିକିଆ ଧର୍ମଘଟକୁ ଓହ୍ଲାଇଛନ୍ତି ବ୍ୟାଙ୍କ କର୍ମଚାରୀ। ୫ ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଲାଗୁ କରିବା, ପରଫର୍ମାନ୍ସ ଲିଙ୍କଡ୍ ଇନସେନଣ୍ଟିଭ (PLI) ବା କାର୍ଯ୍ୟଦକ୍ଷତା ଆଧାରିତ ପ୍ରୋତ୍ସାହନରେ ସମାନତା, ବ୍ୟାଙ୍କରେ ପର୍ଯ୍ୟାପ୍ତ କ୍ଲରିକାଲ୍ ଓ ସବ୍-ଷ୍ଟାଫ୍ ନିଯୁକ୍ତି, NPS କୁ OPS ରେ ପରିବର୍ତ୍ତନ, ପେନସନ୍ ଅପଡେଟ୍, ଗ୍ରାଚୁଇଟି ସୀମା ବୃଦ୍ଧି ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ମେଡିକାଲ୍ ବୀମା ସୁବିଧା ସମେତ ବିଭିନ୍ନ ଦାବି ନେଇ ଏହି ଧର୍ମଘଟ କରିଛି UFBU।
ଧର୍ମଘଟର ମୁଖ୍ୟ ପ୍ରସଙ୍ଗ ହେଉଛି ୫ ଦିନିଆ ବ୍ୟାଙ୍କିଂ। ୟୁନିୟନ୍ର ଦାବି ଅନୁସାରେ, ସମସ୍ତ ଶନିବାରକୁ ଛୁଟି ଘୋଷଣା କରାଯାଉ ଏବଂ ସୋମବାରରୁ ଶୁକ୍ରବାର ପ୍ରତିଦିନ ୪୦ ମିନିଟ୍ ଅତିରିକ୍ତ ବ୍ୟାଙ୍କିଂ ସମୟ ଦେଇ ଗ୍ରାହକଙ୍କ ବ୍ୟବସାୟିକ ସମୟରେ ହ୍ରାସ ନହେବାର ବ୍ୟବସ୍ଥା କରାଯାଇପାରିବ।
ଏହା ସହ ପିଏଲଆଇକୁ ନେଇ ମଧ୍ୟ ବୈଷମ୍ୟର ଅଭିଯୋଗ ଉଠାଇଛି UFBU। ୟୁନିୟନ୍ର ଦାବି ଅନୁସାରେ, ସ୍କେଲ୍-୪ ଓ ତଦୂର୍ଦ୍ଧ୍ବ ଅଧିକାରୀଙ୍କ ପାଇଁ ୩୬୦ ଦିନର ବେତନ ସମାନ ପିଏଲଆଇ ବ୍ୟବସ୍ଥା ଥିବାବେଳେ ସ୍କେଲ୍-୩ ପର୍ଯ୍ୟନ୍ତ କର୍ମଚାରୀଙ୍କ ପାଇଁ ଏହା ୧୫ ଦିନର ବେତନ ସହ ସମାନ; ତେଣୁ ସମସ୍ତଙ୍କ ପାଇଁ ସମାନ ପିଏଲଆଇ ଦାବି କରାଯାଇଛି।
ଅନ୍ୟ ଦାବି ମଧ୍ୟରେ ଜାତୀୟ ପେନସନ ବ୍ୟବସ୍ଥା (NPS)କୁ ପୁରୁଣା ପେନସନ ବ୍ୟବସ୍ଥା (OPS)ରେ ପରିବର୍ତ୍ତନ, NPSରେ ବ୍ୟାଙ୍କଗୁଡ଼ିକ ଦେଉଥିବା ଅତିରିକ୍ତ ୪ ପ୍ରତିଶତ ଅବଦାନକୁ ଆୟକରମୁକ୍ତ କରିବା, ପେନସନ୍ ଅପଡେଟ୍, ପେନସନରଙ୍କ ପାଇଁ ସମାନ ଡିଏ, ନଭେମ୍ବର ୨୦୨୨ ପୂର୍ବରୁ ଅବସର ନେଇଥିବା କର୍ମଚାରୀଙ୍କ ପାଇଁ ଅନୁଗ୍ରହମୂଳକ ବୃଦ୍ଧି, ଗ୍ରାଚୁଇଟିର ସର୍ବୋଚ୍ଚ ସୀମା ବୃଦ୍ଧି, ୱାର୍କମ୍ୟାନ୍ ଓ ଅଫିସର ଡାଇରେକ୍ଟର ପଦ ପୂରଣ ଏବଂ ଅବସରପ୍ରାପ୍ତଙ୍କ ମେଡିକାଲ୍ ବୀମା ପ୍ରିମିୟମ୍ ବ୍ୟାଙ୍କ ପକ୍ଷରୁ ବହନ କରିବା ଭଳି ପ୍ରସଙ୍ଗ ରହିଛି।
ୟୁନିଅନ୍ର ଆବାହକଙ୍କ ଯୁକ୍ତି, ୨୦୧୫ ଓ ୨୦୨୦ର ଚୁକ୍ତିରେ ସମସ୍ତ ଶନିବାର ଛୁଟି ନେଇ ଆଲୋଚନା ହୋଇଥିଲେ ମଧ୍ୟ ଏହାର ଚୂଡ଼ାନ୍ତ ସମାଧାନ ହୋଇନାହିଁ। ୨୦୨୪ର ବେତନ ଚୁକ୍ତି ସମୟରେ ମଧ୍ୟ କିଛି ପ୍ରସଙ୍ଗ ଅସମାଧାନ ରହିଥିବା ଦାବି କରିଛି UFBU। ସେପ୍ଟେମ୍ବରର ସମନ୍ୱୟ ବୈଠକରେ ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଉପସ୍ଥିତ ଥିଲେ ମଧ୍ୟ ୫ ଦିନିଆ ବ୍ୟାଙ୍କିଂ ନେଇ ନିଶ୍ଚିତ ପ୍ରତିଶ୍ରୁତି ନମିଳିବାରୁ ଧର୍ମଘଟରୁ ପଛକୁ ହଟିନଥିଲେ ବ୍ୟାଙ୍କ ୟୁନିୟନ୍ଗୁଡ଼ିକ।
ବ୍ୟାଙ୍କ ଧର୍ମଘଟ ଯୋଗୁଁ ଗ୍ରାହକ ସେବା ବାଧାପ୍ରାପ୍ତ ହୋଇଛି। ଯାହାକୁ ନେଇ ସାଧାରଣ ଖାତାଧାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଖାତାଧାରୀମାନେ ବ୍ୟାଙ୍କ ଆସି ଫେରୁଛନ୍ତି।
ଆଜିର ଧର୍ମଘଟ ପରେ ସେପ୍ଟେମ୍ବର ୨୮, ୨୯ ଓ ୩୦ ଏବଂ ଅକ୍ଟୋବର ୨୬ରେ ମଧ୍ୟ ଆନ୍ଦୋଳନର ଆହ୍ୱାନ ରହିଛି। UFBU ଓଡ଼ିଶା ରାଜ୍ୟ ଶାଖାର ଆବାହକ ଡକ୍ଟର ଚିତ୍ତରଞ୍ଜନ ପଣ୍ଡାଙ୍କ କହିବା ଅନୁସାରେ, ଦୀର୍ଘଦିନର ଦାବିର ସମାଧାନ ନହେବାରୁ ଏହି ଆନ୍ଦୋଳନର ପଥ ବାଛିବାକୁ ପଡ଼ିଛି। ଯଦିଓ ଗ୍ରାହକ ସେବା ପ୍ରଭାବିତ ହୋଇଛି, କିନ୍ତୁ ସରକାର ଆମ ଦାବି ନ ଶୁଣିବାରୁ ବାଧ୍ୟ ହୋଇ ଆମେ ଆନ୍ଦୋଳନର ପନ୍ଥା ଆପଣାଇଲୁ ବୋଲି କହିଛି UFBU।
ଦାବି ପୂରଣ ନେଇ ସରକାର ଓ ବ୍ୟାଙ୍କ ପରିଚାଳନା ସହ ଆଲୋଚନା ବିଫଳ ହେବା ପରେ ଆଜି ଧର୍ମଘଟକୁ ଓହ୍ଲାଇଛନ୍ତି ବ୍ୟାଙ୍କ କର୍ମଚାରୀ। ୫ ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ସହ ପିଏଲଆଇରେ ସମାନତା, ପର୍ଯ୍ୟାପ୍ତ ନିଯୁକ୍ତି, ପେନସନ୍ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସୁବିଧା ଭଳି ଦାବି ନେଇ ଆନ୍ଦୋଳନ ଜାରି ରହିଛି। ଆଜିର ଧର୍ମଘଟରେ ବ୍ୟାଙ୍କ ସେବା ପ୍ରଭାବିତ ହୋଇଥିବା ବେଳେ, ଦାବି ପୂରଣ ନହେଲେ ଆଗକୁ ଆହୁରି ତୀବ୍ର ଆନ୍ଦୋଳନର ଚେତାବନୀ ଦେଇଛି UFBU।
