ବ୍ରହ୍ମପୁର ଓ ସମ୍ବଲପୁରରେ ଦୁଇଟି ନୂଆ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପ୍ରତିଷ୍ଠା ପାଇଁ ଭୂମି ଚିହ୍ନଟ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ଦକ୍ଷତା ପ୍ରଶିକ୍ଷଣ ଯୋଗାଇବା ଲକ୍ଷ୍ୟରେ ମୋହନ ସରକାରଙ୍କ ମହତ୍ୱାକାଙ୍କ୍ଷୀ ଯୋଜନା ଏବେ ଧୀରେ ଧୀରେ ବାସ୍ତବ ରୂପ ନେବାକୁ ଯାଉଛି। ଚଳିତ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର ଓ ସମ୍ବଲପୁରରେ ଦୁଇଟି ନୂଆ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପ୍ରତିଷ୍ଠା ଘୋଷଣା କରିଥିଲେ। ଏଥିପାଇଁ ୨୭୮ କୋଟି ଟଙ୍କାର ଘୋଷଣା ହୋଇଥିଲା।
ବଜେଟ୍ର ସେହି ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବେ ଉଭୟ ସ୍ଥାନରେ ଜମି ଚିହ୍ନଟ କରି ଭୂମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିଛି। ଏନେଇ ବିଭାଗ ପକ୍ଷରୁ ଗଞ୍ଜାମ ଏବଂ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀଙ୍କୁ ପୃଥକ ନିର୍ଦ୍ଦେଶ ଜାରି କରାଯାଇଛି।
ଭୁବନେଶ୍ୱରରେ ସଫଳତାର ସହ କାର୍ଯ୍ୟ କରୁଥିବା ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ଢାଞ୍ଚାକୁ ରାଜ୍ୟର ଅନ୍ୟ ଅଞ୍ଚଳକୁ ବିସ୍ତାର କରିବା ସରକାରଙ୍କ ଲକ୍ଷ୍ୟ। ବିଶେଷକରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ନିଜ ଅଞ୍ଚଳରେ ଆନ୍ତର୍ଜାତିକ ମାନର ଦକ୍ଷତା ପ୍ରଶିକ୍ଷଣ ସୁବିଧା ଯୋଗାଇବା ପାଇଁ ବ୍ରହ୍ମପୁର ଓ ସମ୍ବଲପୁରରେ ନୂଆ କ୍ୟାମ୍ପସ ସ୍ଥାପନ କରାଯାଉଛି।
ବ୍ରହ୍ମପୁର କ୍ୟାମ୍ପସ ପାଇଁ ଗଞ୍ଜାମ ଜିଲ୍ଲା କନିଶି ତହସିଲ ଅଧୀନ ଲଉଡ଼ିଗାଁ ମୌଜାକୁ ଚୂଡ଼ାନ୍ତ ଭାବେ ଚୟନ କରାଯାଇଛି। ଏହି ସ୍ଥାନ ଚୟନ ପୂର୍ବରୁ ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ବିଶେଷଜ୍ଞ ଦଳ ଲଉଡ଼ିଗାଁ ଓ ସୀତଳାପଲ୍ଲୀର ଦୁଇଟି ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲେ। ପ୍ରାୟ ୪୦ ଏକର ଜମିର ଉପଲବ୍ଧତା, “ଆଇଜର୍” ବ୍ରହ୍ମପୁରର ନିକଟତା ଏବଂ ସମୁଦ୍ର ଉପକୂଳ ପାଖରେ ଥିବାରୁ ଭବିଷ୍ୟତରେ ମେରିନ୍ ଇଞ୍ଜିନିୟରିଂ ଓ ହସ୍ପିଟାଲିଟି ପରି ଆଧୁନିକ ପାଠ୍ୟକ୍ରମ ଆରମ୍ଭ କରିବାର ସୁବିଧା ଦୃଷ୍ଟିରୁ ଲଉଡ଼ିଗାଁକୁ ସର୍ବାଧିକ ଉପଯୁକ୍ତ ସ୍ଥାନ ବୋଲି ସୁପାରିସ କରାଯାଇଥିଲା।
ବର୍ତ୍ତମାନ ଏହି ଜମିକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନାମରେ ହସ୍ତାନ୍ତର କରିବା ପାଇଁ ଭୂମି ଅଲଗାକରଣ ପ୍ରସ୍ତାବ ଦାଖଲ କରିବାକୁ ବ୍ରହ୍ମପୁରସ୍ଥିତ ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ଉପନିର୍ଦ୍ଦେଶକଙ୍କୁ କ୍ଷମତା ପ୍ରଦାନ କରାଯାଇଛି।
ସେହିପରି ସମ୍ବଲପୁରରେ ସଦର ତହସିଲ ଅଧୀନ ବଡ଼ସିଂହାରି ମୌଜାରେ ପ୍ରାୟ ୧୫ ଏକର ସରକାରୀ ଜମିକୁ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପାଇଁ ଉପଯୁକ୍ତ ବୋଲି ବିଭାଗ ଚିହ୍ନଟ କରିଛି। ଉକ୍ତ ଜମି ବର୍ତ୍ତମାନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ନାମରେ ରହିଥିବାରୁ ଏହାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନାମରେ ହସ୍ତାନ୍ତର କରିବା ପାଇଁ ସମ୍ବଲପୁର ଜିଲ୍ଲାପାଳଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଏଥିସହ ଭୂମି ଅଲଗାକରଣ ପ୍ରସ୍ତାବ ଦାଖଲ କରିବାକୁ ସମ୍ବଲପୁର ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ଉପନିର୍ଦ୍ଦେଶକଙ୍କୁ ଅଧିକୃତ କରାଯାଇଛି।
ସରକାରଙ୍କ ଏହି ପଦକ୍ଷେପ ଫଳରେ ରାଜ୍ୟର ଦୁଇ ପ୍ରମୁଖ ଅଞ୍ଚଳରେ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ସ୍ଥାପନ ଦିଗରେ ପ୍ରଶାସନିକ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହୋଇଛି। ଭୂମି ହସ୍ତାନ୍ତର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ କ୍ୟାମ୍ପସ ନିର୍ମାଣ ପାଇଁ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।
