ଓଡ଼ିଶାର ଇମେଜକୁ ନଷ୍ଟ କରିଦେଲା ଡବଲ ଇଞ୍ଜିନ ସରକାର : ନବୀନ
ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆରଟିଓ ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହି ପଦଯାତ୍ରାରେ ହଜାର ହଜାର ସଂଖ୍ୟାର କର୍ମୀ, ନେତା ଏବଂ ଦଳର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।
ଜନତାଙ୍କୁ ସମ୍ବୋଧିତ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ଯେ, ବିଜେଡି ବିକାଶ ଓ ସେବାରେ ବିଶ୍ୱାସ କରେ । ବିଜେଡି ସରକାର ବେଳେ ଓଡ଼ିଶାର ଅନେକ ବିକାଶ ହୋଇଛି ଏବଂ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ମଡେଲ ଷ୍ଟେଟ ହୋଇ ପାରିଥିଲା । କିନ୍ତୁ ଡବଲ ଇଞ୍ଜିନ ସରକାର ଓଡ଼ିଶାର ଇମେଜକୁ ନଷ୍ଟ କରିଦେଲା ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି ।
ବିଜେପି ସରକାରର ବିଫଳତା ସବୁ ଘରେ ଜଣାଇବାକୁ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି । ପଦଯାତ୍ରା ସମୟରେ ଡବଲ ଇଞ୍ଜିନ ସରକାରର ବିଫଳତାକୁ ପ୍ରତି ଘରେ ଘରେ ପହଞ୍ଚାଇ ଲୋକଙ୍କୁ ସଚେତନ କରିବାକୁ ସେ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ନବୀନ ପଟ୍ଟନାୟକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ, ଏହି ପଦଯାତ୍ରା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଓ ମନ୍ମଥ ରାଉତରାୟ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ଲୋକ ବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ । ଏହି ସମାବେଶରେ ସ୍ଥାନୀୟ କର୍ପୋରେଟରମାନେ ମଧ୍ୟ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ଜନସମ୍ପର୍କ ପଦଯାତ୍ରା ନଭେମ୍ବର ୨ ପର୍ଯ୍ୟନ୍ତ ସାରା ରାଜ୍ୟରେ ମାସେ ଧରି ଚାଲିବ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦ ହଜାରରୁ ଅଧିକ ଜନ ସମାବେଶ ହୋଇଥିଲା ।
