ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା: ୧୩ ତାରିଖରେ ସୃଷ୍ଟି ହେବ ନୂତନ ଲଘୁଚାପ କ୍ଷେତ୍ର
ଭୁବନେଶ୍ୱର (ସଂକେତ ଟିଭି): ବଙ୍ଗୋପସାଗରରେ ପୁଣି ଥରେ ଲଘୁଚାପ ଦାନା ବାନ୍ଧିବାର ସମ୍ଭାବନା ଦେଖାଦେଇଛି। ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁଯାୟୀ, ଥାଇଲ୍ୟାଣ୍ଡ ଉପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ସକ୍ରିୟ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ବର୍ତ୍ତମାନ ରହିଛି। ଏହି ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ପ୍ରାୟ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି ଏବଂ କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି।
ଆସନ୍ତା ୧୧ ତାରିଖରେ ଏହି ସକ୍ରିୟ ଘୂର୍ଣ୍ଣିବଳୟଟି ଆଣ୍ଡାମାନ ସାଗର ମଧ୍ୟକୁ ପ୍ରବେଶ କରିବ। ସାମୁଦ୍ରିକ ଅନୁକୂଳ ପରିବେଶ ପାଇବା ଫଳରେ ଏହା ଅଧିକ ଘନୀଭୂତ ହେବା ସହ ୧୩ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି।
ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା କେତେ ଘନୀଭୂତ ହେବ ଏବଂ କେଉଁ ଉପକୂଳ ମୁହାଁବ, ସେନେଇ ପାଣିପାଗ ବିଜ୍ଞାନୀମାନେ ନଜର ରଖିଛନ୍ତି। ସମ୍ଭାବ୍ୟ ଲଘୁଚାପ କାରଣରୁ ଆଣ୍ଡାମାନ ସାଗର ଏବଂ ପରବର୍ତ୍ତୀ ସମୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ମଧ୍ୟରେ ପବନର ବେଗ ବୃଦ୍ଧି ପାଇବା ସହ ସମୁଦ୍ର ଅଶାନ୍ତ ରହିବ ବୋଲି ଆକଳନ କରାଯାଇଛି।
