FeaturedGeneralLatest

କୋଲକାତା ଚୋରବାଗାନ ଦୁର୍ଗାପୂଜା ଦଳାଚକଟା: ୭ ଗିରଫ, ୧୦ ଦିନିଆ ରିମାଣ୍ଡ

କୋଲକାତା(ସଂକେତ ଟିଭି): ଉତ୍ତର କୋଲକାତାର ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ଶନିବାର ସନ୍ଧ୍ୟା ୭ଟା ୪୦ ମିନିଟରେ ପ୍ରବଳ ବର୍ଷା ଯୋଗୁ ଅଚାନକ ଦଳାଚକଟା ଘଟିଥିଲା। ଏହି ଦୁଃଖଦ ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୫ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୩ ଜଣ ମହିଳା ଓ ୧ ଜଣ ଶିଶୁ ଅଛନ୍ତି। ଆହତମାନଙ୍କୁ କୋଲକାତା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ ପକ୍ଷରୁ ପ୍ରାରମ୍ଭିକ ଅନୁସନ୍ଧାନ ପରେ ରବିବାର ୭ ଜଣଙ୍କୁ ଗିରଫ କରାଯାଇ ବଂଶାଲ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା। ସେମାନଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଅଦାଲତ ଅନୁମତି ପ୍ରଦାନ କରିଛନ୍ତି। ଗିରଫ ୭ ଜଣ ହେଲେ— ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ସମିତି ସମ୍ପାଦକ ରାଜ କୁମାର, ଉପସଭାପତି ସାନ୍ତନୁ ଦୁବେ, ମେଢ ତିଆରି କରିଥିବା ବିପ୍ଳବ ମୁଖାର୍ଜୀ, ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ଥିବା କୌଶିକ ସାହା ଓ ପିଂଟୁ ଦୁବେ, ଏବଂ ଘରୋଇ ସୁରକ୍ଷା ସଂସ୍ଥା ଦାୟିତ୍ୱରେ ଥିବା ସୁମନ ଚର୍କବର୍ତ୍ତୀ ଓ ରାଜେଶ ପାଲ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏହି ଘଟଣାରେ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ ଏବଂ ପରିବାରର ଜଣଙ୍କୁ ଗ୍ରୁପ ଡି ଚାକିରି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ସହ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

କୋଲକାତା ହାଇକୋର୍ଟର ଜଣେ ବିଚାରପତିଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ (ଏସଆଇଟି) ଏହି ଦଳାଚକଟା ଘଟଣାର ତଦନ୍ତ କରିବ। ଏଥିରେ ଏସଟିଏଫ, ସିଆଇଡି ଓ ଅନ୍ୟ ବିଭାଗର ଅଧିକାରୀ ସାମିଲ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଘଟଣାସ୍ଥଳରେ କୋଲକାତା ପୁଲିସ, ଅଗ୍ନିଶମ କର୍ମଚାରୀ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଟିମ ଓ ଆମ୍ବୁଲାନ୍ସ ସହ ଡାକ୍ତରୀ ଟିମ ଉପସ୍ଥିତ ରହିଥିଲେ। ପୂଜା ପେଣ୍ଡାଲକୁ ଦର୍ଶକମାନଙ୍କ ପାଇଁ ବନ୍ଦ କରିଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଶାରଦ୍ୱତ ମୁଖାର୍ଜୀ ଓ ମୁଖ୍ୟ ସଚିବ ମନୋଜ ଅଗ୍ରଓ୍ବାଲଙ୍କ ସମେତ ବରିଷ୍ଠ ଅଧିକାରୀମାନେ ହସ୍ପିଟାଲରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦଳାଚକଟା ପରେ ଚୋରବାଗାନ ଦୁର୍ଗାପୂଜା କମିଟି ସାଧାରଣ ସମ୍ପାଦକ ଜୟନ୍ତ ବାନାର୍ଜୀଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ସେମାନଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦଳାଚକଟାରେ ଅନେକେ ଚେତା ହରାଇଥିଲେ ଏବଂ ଅନେକଙ୍କୁ ମୋଟରସାଇକେଲ ଯୋଗେ ହସ୍ପିଟାଲ ନିଆଯାଇଥିଲା। ସଂକୀର୍ଣ୍ଣ ପ୍ରବେଶ ଓ ପ୍ରସ୍ଥାନ ଗେଟ ଏହି ଦୁଃଖଦ ଘଟଣାର କାରଣ ବୋଲି ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଉକ୍ତ ସ୍ଥାନରେ ଆଲୋକ ନ ଥିଲା ବୋଲି ସେ କହିଛନ୍ତି। ଦଳାଚକଟା ପରେ ପୂଜା ଆୟୋଜକମାନେ ମଣ୍ଡପର ଆଲୋକ ବନ୍ଦ କରିଦେବା ସହ ପ୍ରବେଶ ପଥକୁ ବନ୍ଦ କରିଦେଇଛନ୍ତି। ତେବେ କେଉଁ କାରଣରୁ ଦଳାଚକଟା ଘଟିଲା ତାହା ସ୍ପଷ୍ଟ ହୋଇନାହିଁ। ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇବା ଆମର ପ୍ରଥମ କାମ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *