ଆମ୍ବୁଲାନ୍ସ ଦୁର୍ଘଟଣାରେ ଆଈ-ନାତୁଣୀଙ୍କ ମୃତ୍ୟୁ, ୩ ଗୁରୁତର
ଭଦ୍ରକ(ସଂକେତ ଟିଭି): ଭଦ୍ରକ ନିକଟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାରେ ପଶ୍ଚିମବଙ୍ଗର ଖଡ଼ଗପୁର ଅଞ୍ଚଳର ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ତିଶଳପୁର ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକମାନେ ହେଉଛନ୍ତି ନାତୁଣୀ ଖୁସି ଗୁରୁ ଏବଂ ଆଈ ମାଳତୀ ଦଣ୍ଡପାଟ। ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଆଜି (ସୋମବାର) ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବାବେଳେ ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ ଆମ୍ବୁଲାନ୍ସରୁ ମୃତ ଏବଂ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କ ମଧ୍ୟରୁ ଜଣେ କହିବା ଅନୁସାରେ, ନାତୁଣୀର ଚିକିତ୍ସା ପାଇଁ ସେମାନେ ପଶ୍ଚିମବଙ୍ଗର ଖଡ଼ଗପୁରରୁ ଓଡ଼ିଶାର କଟକ ଏସସିବି ମେଡିକାଲ କଲେଜକୁ ଆସୁଥିଲେ। ଆମ୍ବୁଲାନ୍ସଟି ଭଦ୍ରକ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥର ତିଶଳପୁର ଛକ ନିକଟରେ ପ୍ରଥମେ ଏକ ବୋଲେରୋକୁ ଧକ୍କା ଦେଇଥିଲା। ପରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଡିଭାଇଡରକୁ ଧକ୍କା ଦେଇଥିଲା।
ଆମ୍ବୁଲାନ୍ସରେ ଆଈ ମାଳତୀ, ପୁଅ ଓ ବୋହୂ ଏବଂ ଅସୁସ୍ଥ ନାତୁଣୀ ଖୁସି ଥିଲେ। ସେମାନେ ଖଡ଼ଗପୁରରୁ କଟକ ବଡ଼ ମେଡିକାଲକୁ ଆସୁଥିଲେ। ଖୁସିକୁ ଭଲ କରିବାକୁ ଏତେ ଦୂର ଆସୁଥିବା ବେଳେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କ ଜୀବନ ଯାଇଛି। ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।
ଦୁର୍ଘଟଣା ସଂପର୍କରେ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସପିଟାଲ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହିତ ଆମ୍ବୁଲାନ୍ସ ଡ୍ରାଇଭରକୁ ଥାନାରେ ଅଟକ ରଖି ଅଧିକ ପଚରା ଉଚରା କରୁଛି।
