ଓଡ଼ିଶାକୁ ପୁଣି ବାତ୍ୟା ଭୟ: ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ
ଭୁବନେଶ୍ୱର (ସଂକେତ ଟିଭି): ପୁଣି ଓଡ଼ିଶାକୁ ବାତ୍ୟା ଭୟ ଦେଖାଦେଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ ଏବଂ ପରବର୍ତ୍ତୀ ସମୟରେ ଏହା ବାତ୍ୟାର ରୂପ ନେବା ଆଶଙ୍କା ରହିଛି।
ବର୍ତ୍ତମାନ ଗଲଫ୍ ଅଫ୍ ଥାଇଲାଣ୍ଡ୍ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଆସନ୍ତା ୨୦ କିମ୍ବା ୨୧ ତାରିଖ ବେଳକୁ ଆଣ୍ଡାମାନ ଓ ଏହାର ସଂଲଗ୍ନ ଅଞ୍ଚଳରେ ପହଞ୍ଚିପାରେ। ଫଳରେ ୨୩ରୁ ୨୪ ତାରିଖ ସୁଦ୍ଧା ଲଘୁଚାପ ଏବଂ ୨୪ରୁ ୨୫ ତାରିଖ ବେଳକୁ ଅବପାତର ରୂପ ନେବା ସମ୍ଭାବନା ରହିଛି।
ପାଣିପାଗ ବିଜ୍ଞାନୀ ବିଶ୍ୱଜିତ୍ ସାହୁ କହିଛନ୍ତି, “ବର୍ତ୍ତମାନର ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି ଏହି ସିଷ୍ଟମକୁ ଅଧିକ ଘନୀଭୂତ କରିପାରେ। ବିଭିନ୍ନ ଗ୍ଲୋବାଲ୍ ମଡେଲ୍ରେ ଏହା ବାତ୍ୟାରେ ପରିଣତ ହେବାର ସଙ୍କେତ ମିଳୁଥିବା କୁହାଯାଉଛି। ତେବେ ଏହାର ତୀବ୍ରତା ଓ ଗତିପଥ ନେଇ ଏବେ ଠାରୁ ସ୍ପଷ୍ଟ ଆକଳନ କରିବା ସମ୍ଭବ ନୁହେଁ।”
ଏହି ସିଷ୍ଟମ୍ ତାମିଲନାଡୁ, ମିଆଁମାର କିମ୍ବା ବାଂଲାଦେଶ ଆଡ଼କୁ ଗତି କରିପାରେ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏହାର ଗତିପଥ ଓ ତୀବ୍ରତା ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିପାରିବ। ତେଣୁ ବାତ୍ୟା ସୃଷ୍ଟି ଓ ଏହାର ସମ୍ଭାବ୍ୟ ପ୍ରଭାବ ନେଇ ପାଣିପାଗ ବିଭାଗର ପରବର୍ତ୍ତୀ ଆକଳନ ଉପରେ ନଜର ରହିଛି।
