ହାଇକୋର୍ଟଙ୍କ ନୋଟିସ: ୫ ବିଦ୍ରୋହୀ ବିଜେଡି ବିଧାୟକଙ୍କୁ ଜବାବ ତଲବ
କଟକ (ସଂକେତ ଟିଭି): ବିଦ୍ରୋହୀ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ସମ୍ପର୍କିତ ଆବେଦନ ଉପରେ ହାଇକୋର୍ଟ ଶୁଣାଣି କରିଛନ୍ତି। ଏହି ମାମଲାରେ କୋର୍ଟ ୫ ଜଣ ବିଧାୟକଙ୍କୁ ଜବାବ ତଲବ କରିଛନ୍ତି।
ବିଧାୟକ ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା, ସନାତନ ମହାକୁଡ, ସୌଭିକ ବିଶ୍ୱାଳ ଓ ଚକ୍ରମଣୀ କହଁରଙ୍କୁ ଗୁରୁବାର ନୋଟିସ ଜାରି ହୋଇଛି। ଆସନ୍ତା ଜାନୁଆରୀ ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତା ପୂର୍ବରୁ ଜବାବ ଦାଖଲ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ବାଚସ୍ପତିଙ୍କ ନିକଟରେ ସାନି ଆବେଦନ କରିବାର ବୈଧତା ଉପରେ ଗୁରୁବାର ମୁଖ୍ୟତଃ ଶୁଣାଣି ହୋଇଛି। ବାଚସ୍ପତିଙ୍କ ତରଫରୁ ହାଇକୋର୍ଟରେ ଆଡଭୋକେଟ ଜେନେରାଲ ପକ୍ଷ ରଖିଛନ୍ତି। ସଭ୍ୟପଦ ରଦ୍ଦ ବାବଦରେ ପୂର୍ବରୁ ବାଚସ୍ପତି ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତାହା ନ୍ୟାୟିକ ପଦ୍ଧତିର ଏକ ଅଂଶ, ତେଣୁ ନିଜ ନିର୍ଦ୍ଦେଶର ପୁନର୍ବିଚାର କରିବା ନେଇ କୌଣସି ପ୍ରାବଧାନ ନାହିଁ ବୋଲି ଆଡଭୋକେଟ ଜେନେରାଲ ଯୁକ୍ତି ଉପସ୍ଥାପନ କରିଛନ୍ତି। ଯାହାକୁ କୋର୍ଟ ଗ୍ରହଣ କରିବା ସହିତ ୫ ଜଣ ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି।
ରାଜ୍ୟସଭା କ୍ରସ୍ ଭୋଟିଂକୁ ନେଇ ବିଜେଡିର ଆଭ୍ୟନ୍ତରୀଣ ବିବାଦ ପଦାକୁ ଆସିଥିଲା। ୮ ଜଣ ବିଦ୍ରୋହୀ ବିଜେଡି ବିଧାୟକ କ୍ରସ ଭୋଟିଂ କରିଥିବା ନେଇ ଚର୍ଚ୍ଚା ହେଲା। ପରେ ସେମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ବିଜେଡି ଆବେଦନ କରିଥିଲା, ଯାହାକୁ ଟେକ୍ନିକାଲ ଗ୍ରାଉଣ୍ଡରେ ବାଚସ୍ପତି ଖାରଜ କରିଥିଲେ। ପରେ ବାଚସ୍ପତିଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବିଜେଡି ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି ଯେ କେବଳ ସଭ୍ୟପଦ ରଦ୍ଦକୁ ନେଇ ସେମାନେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି, ଯାହାକୁ କୋର୍ଟ ଗ୍ରହଣ କରିସାରିଛନ୍ତି।
