ସାଉଦିରେ ଭୟଙ୍କର ବସ୍ ଦୁର୍ଘଟଣା: ୪୫ ଜଣ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ (ସଂକେତ ଟିଭି): ସାଉଦି ଆରବରେ ଏକ ଭୟଙ୍କର ବସ୍ ଦୁର୍ଘଘଟଣା ଘଟିଛି । ଭାରତୀୟ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସଟି ଏକ ତେଲ ଟ୍ୟାଙ୍କର ସହ ଧକ୍କା ହେବା ଫଳରେ ଜଳିଯାଇଛି । ଏହି ଦୁର୍ଘଟଣାରେ ବସ୍ରେ ଥିବା ପାଖାପାଖି ୪୫ ଜଣ ଭାରତୀୟ ତୀର୍ଥଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି ବୋଲି ଖବର ମିଳିଛି ।
ବସଟି ସାଉଦି ଆରବର ମକ୍କା ସହରରୁ ମଦିନା ଅଭିମୁଖେ ଯାତ୍ରା କରିଥିଲା । ଅଧିକାଂଶ ଯାତ୍ରୀ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ଅଞ୍ଚଳର ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି । ରାତି ୧.୩୦ ଟାରେ ଘଟିଥିବା ଏହି ଦୁର୍ଘଟଣାରେ ବସ୍ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ହେବା ଫଳରେ ଜଳିବାକୁ ଲାଗିଥିଲା । ରାତି ସମୟ ହୋଇଥିବାରୁ ଅଧିକାଂଶ ଯାତ୍ରୀ ଶୋଇଥିବା ଅବସ୍ଥାରେ ଥିଲେ, ଯାହା ଫଳରେ ସେମାନେ ବସ ଜ୍ୱଳିବା ସମୟରେ ବାହାରକୁ ଆସିପାରିନଥିଲେ ।
ସୂଚନା ଅନୁଯାୟୀ, ବସରେ ଥିବା ୪୬ ଜଣ ଯାତ୍ରୀଙ୍କ ମଧ୍ୟରୁ କେବଳ ସୋହେଲ ନାମକ ଜଣେ ଯୁବକ ଏହି ଦୁର୍ଘଟଣାରୁ ବଞ୍ଚିଯାଇଛନ୍ତି । ତେଲେଙ୍ଗାନା ଷ୍ଟେଟ ହଜ୍ କମିଟି ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ, ମୃତକଙ୍କ ମଧ୍ୟରେ ୧୭ ଜଣ ପୁରୁଷ, ୨୮ ଜଣ ମହିଳା ଏବଂ ୧୦ ଜଣ ଶିଶୁ ଅଛନ୍ତି । ଏହି ଯାତ୍ରୀମାନେ ହାଫ୍ସା, ବାବ ଉଲ ହରମେନ, ଅଲ ମକ୍କା ଓ ମହମ୍ମଦ ଭାଇଜାନ ଭଳି ଟ୍ରାଭେଲ ଏଜେନ୍ସି ମାଧ୍ୟମରେ ତୀର୍ଥଯାତ୍ରା କରିଥିଲେ ।
ଏହି ମର୍ମନ୍ତୁଦ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜର ଏକ ସୋସିଆଲ ମିଡିଆ ପୋଷ୍ଟରେ ଶୋକାକୁଳ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ ଲାଗି ପ୍ରାର୍ଥନା କରିଛନ୍ତି ।
ଘଟଣାସ୍ଥଳରେ ତତକ୍ଷଣାତ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜେଦ୍ଦାହସ୍ଥିତ ଭାରତୀୟ କନସୁଲେଟ୍ ଜେନେରାଲ ଏକ ୨୪x୭ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛନ୍ତି ଏବଂ ସହାୟତା ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି: ୮୦୦୨୪୪୦୦୦୩ (ଟୋଲ ଫ୍ରି), ୦୧୨୨୬୧୪୦୯୩, ୦୧୨୬୬୧୪୨୭୬, ଏବଂ ୦୫୫୬୧୨୨୩୦୧ (ୱାଟ୍ସଆପ୍) । ଭାରତୀୟ ଦୂତାବାସ ଏବଂ କନସୁଲେଟ୍ ସାଉଦି କର୍ତ୍ତୃପକ୍ଷଙ୍କ ସହ ମିଶି ପୀଡିତ ପରିବାରଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନରେ ନିଯୁକ୍ତ ଅଛନ୍ତି ।
