FeaturedGeneralLatest

ଭିବି-ଜି-ରାମଜି ବିଲ୍ କୁ ଅନୁମୋଦନ କଲେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ (ସଂକେତ ଟିଭି): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ ୨୦୨୫ କୁ ଅନୁମୋଦନ କରିଛନ୍ତି । ରାଷ୍ଟ୍ରପତିଙ୍କ ସମ୍ମତି ପରେ ବିଲ୍ ଆଇନରେ ପରିଣତ ହୋଇଛି । ପୂର୍ବରୁ ଏହା ସଂସଦର ଉଭୟ ଗୃହରେ ଗୃହୀତ ହୋଇଥିଲା ।

ନୂତନ ଆଇନ ଅନୁଯାୟୀ, ଗ୍ରାମୀଣ ପରିବାରଗୁଡ଼ିକୁ ପ୍ରତି ଆର୍ଥିକ ବର୍ଷରେ ବୈଧାନିକ ମଜୁରୀ ନିଯୁକ୍ତିର ଗ୍ୟାରେଣ୍ଟି ଦିନ ସଂଖ୍ୟା ବୃଦ୍ଧି ପାଇଛି । ପୂର୍ବରୁ ଥିବା ୧୦୦ ଦିନର ଗ୍ୟାରେଣ୍ଟି ବର୍ତ୍ତମାନ ବଢ଼ାଇ ୧୨୫ ଦିନ କରାଯାଇଛି ।

ସରକାର ଆସନ୍ତା ବର୍ଷ ୧ ଏପ୍ରିଲ (୨୦୨୬) ଠାରୁ ଏହି ଆଇନ କାର୍ଯ୍ୟକାରୀ କରିବାକୁ ଯୋଜନା କରିଛନ୍ତି । ଏହି ନୂତନ ଆଇନ ୨୦ ବର୍ଷରୁ ଅଧିକ ପୁରୁଣା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (MGNREGA)କୁ ବଦଳାଇବ ।

କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ କହିଛି ଯେ, ଏହି ବିଲ୍ ମନରେଗାକୁ ବଦଳାଇ ଏକ ବିକଶିତ ଭାରତ ୨୦୪୭ର ଦୃଷ୍ଟିକୋଣ ସହିତ ଡିଜାଇନ୍ କରାଯାଇଛି । ସରକାରଙ୍କ ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳରେ ଆୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ।

ଆଇନର ବ୍ୟବସ୍ଥା ଅନୁଯାୟୀ, ଇଚ୍ଛୁକ ଗ୍ରାମୀଣ ପରିବାରଗୁଡ଼ିକୁ ସର୍ବନିମ୍ନ ୧୨୫ ଦିନର ନିଯୁକ୍ତି ପ୍ରଦାନ କରିବା ପାଇଁ ସରକାର ସାମ୍ବିଧାନିକ ଭାବରେ ଦାୟୀ ରହିବେ । ମଜୁରୀ ପ୍ରଦାନ ସପ୍ତାହିକ କିମ୍ବା ସର୍ବାଧିକ ୧୫ ଦିନ ମଧ୍ୟରେ ବାଧ୍ୟତାମୂଳକ ହେବ । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦେୟ ପ୍ରଦାନ ନ ହେଲେ, ମଜୁରୀ ପ୍ରଦାନରେ ବିଳମ୍ବ ପାଇଁ କ୍ଷତିପୂରଣ ଦେବାର ବ୍ୟବସ୍ଥା ମଧ୍ୟ ରହିଛି ।