FeaturedLatestNews

ଧାନକିଣାକୁ ନେଇ ରାଜ୍ୟ ସରକାର- ମିଲ୍ ମାଲିକ ମୁହାଁମୁହିଁ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଚାଲିଥିବା ଧାନ କିଣା ସିଜିନ୍ ମଧ୍ୟରେ ମଣ୍ଡି ଅବ୍ୟବସ୍ଥା ଏକ ଗୁରୁତର ସମସ୍ୟା ଭାବରେ ଉଭା ହୋଇଛି । ମିଲ୍ ମାଲିକମାନଙ୍କ ଆନ୍ଦୋଳନ ଯୋଗୁଁ ମଣ୍ଡିମାନଙ୍କରୁ ଧାନ ଉଠାଣ କାର୍ଯ୍ୟ ବନ୍ଦ ହୋଇଯିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ ସରକାର ମିଲ୍ ମାଲିକମାନଙ୍କ ସହିତ ଆଲୋଚନା କରୁଛନ୍ତି, କିନ୍ତୁ ସେମାନଙ୍କ ଦାବିର ଯଥାର୍ଥତା ନଥିବାରୁ କୌଣସି ସମାଧାନ ବାହାରି ପାରୁନାହିଁ । ମିଲ୍ ମାଲିକମାନେ ବର୍ତ୍ତମାନର ଧାନ କିଣା ସିଜିନ୍ ସମୟରେ ସରକାରକୁ ଦବାଇବାକୁ ଚେଷ୍ଟା କରୁଥିବାରୁ ସରକାର କଡ଼ା ପଦକ୍ଷେପ ନେବା ପାଇଁ ଆଲୋଚନା କରୁଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ମିଲ୍ ମାଲିକମାନେ ମଣ୍ଡିରୁ ଧାନ ଉଠାଣ କାର୍ଯ୍ୟ ବନ୍ଦ କରିଦେଇଥିବାରୁ ରାସ୍ତାରେ ଗଦାଇ ହୋଇ ପଡ଼ିଥିବା ଧାନର ରକ୍ଷଣା ବେକ୍ଷଣ କରିବାକୁ ଚାଷୀମାନେ ବାଧ୍ୟ ହେଉଛନ୍ତି । ଶୀତ କାକର ମଧ୍ୟରେ ଧାନ ଜଗିରହିବା ଚାଷୀଙ୍କ ପାଇଁ ଏକ ବିପର୍ଯ୍ୟୟପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଛି । ରାଜ୍ୟ ସରକାର ୧୦ ଜାନୁଆରି ସୁଦ୍ଧା ସମସ୍ତ ଜିଲ୍ଲାରେ ମଣ୍ଡି ଖୋଲିବା ପାଇଁ ଯୋଜନା କରିଥିଲେ ମଧ୍ୟ, ମିଲ୍ ମାଲିକମାନଙ୍କ ବିରୋଧ ଯୋଗୁଁ ଏହା ସମ୍ଭବ ହୋଇପାରୁନାହିଁ ।

ମିଲ୍ ମାଲିକଙ୍କ ସଂଘ ରାଜ୍ୟ ସରକାରଙ୍କ ପାଖରେ ଚାରିଟି ମୁଖ୍ୟ ଦାବି ଉପସ୍ଥାପନ କରିଛି । ପ୍ରଥମତଃ, ୨୦୨୩-୨୪ ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରକ୍ଷଣାବେକ୍ଷଣ ଓ ପରିବହନ ଖର୍ଚ୍ଚ ବାବଦରେ ପ୍ରାୟ ୩୫୦ କୋଟି ଟଙ୍କା ବାକି ରହିଛି, ସେଥିରେ ତୁରନ୍ତ ପରିଶୋଧ କରାଯିବ । ଦ୍ୱିତୀୟତଃ, ବର୍ତ୍ତମାନର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଧାନ ମୂଲ୍ୟ ସ୍ଥିର କରାଯିବ । ତୃତୀୟ ଦାବି ଅନୁଯାୟୀ, ଧାନ ସଂଗ୍ରହ ଏବଂ ପରିବହନ ବ୍ୟବସ୍ଥା ସରକାର ବୁଝିଦେଲେ ମିଲିଂ କାର୍ଯ୍ୟ ଆରମ୍ଭ କରାଯିବ । ମିଲ୍ ମାଲିକମାନେ ଏହା ସ୍ପଷ୍ଟ କରିଛନ୍ତି ଯେ ଚାଷୀଙ୍କୁ ହାଇରାଣ କରିବା ସେମାନଙ୍କ ଉଦ୍ଦେଶ୍ୟ ନୁହେଁ ଏବଂ ପଞ୍ଜାବ ଓ ଛତିଶଗଡ଼ ଭଳି ରାଜ୍ୟରେ ସରକାର ନିଜେ ଧାନ ସଂଗ୍ରହ ବ୍ୟବସ୍ଥା କରୁଥିବା ଦର୍ଶାଇଛନ୍ତି ।

ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ ମିଲ୍ ମାଲିକମାନଙ୍କ ଏହି ଦାବି ସମ୍ପୂର୍ଣ୍ଣ ଭାବରେ ଅଯଥାର୍ଥ ଏବଂ ସରକାର ଏଗୁଡ଼ିକୁ ପୂରଣ କରିବାକୁ ବାଧ୍ୟ ନୁହନ୍ତି । ତେବେ ଯୋଗାଣ ବିଭାଗ ଏହି ପୂରା ପରିସ୍ଥିତି ଉପରେ ଗଭୀର ଆଲୋଚନା କରୁଛି ଏବଂ ଖୁବ୍ ଶୀଘ୍ର ଏହାର ସମାଧାନ ଆସିବ ବୋଲି ଆଶା କରାଯାଉଛି ।