ଓଡ଼ିଶାକୁ ପୁଞ୍ଜି ଆକର୍ଷଣ ପାଇଁ ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାକୁ ଆହୁରି ପୁଞ୍ଜି ଆସିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନି ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି । ସେଠାରେ ଆୟୋଜିତ ହେବାକୁ ଥିବା ଏକ ବିନିଯୋଗକାରୀ ସମ୍ମିଳନୀ (ଇନ୍ଭେଷ୍ଟର ମିଟ୍)ରେ ସେ ସାମିଲ ହେବେ ।
ଏହି ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ଏବଂ ଶିଳ୍ପ ସଚିବ ମଧ୍ୟ ଯାଇଥିବାର କାର୍ଯ୍ୟକ୍ରମ ରହିଛି । ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଏହି ଦଳରେ ରଖାଯାଇଛି । ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ଅଧିକାରୀମାନେ ଯୋଗଦାନ କରିବେ ।
ଏହାପୂର୍ବେ ହାଇଦ୍ରାବାଦରେ ସମାନ ଧରଣର ଏକ ବିନିଯୋଗକାରୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସେଥିରେ ମୁଖ୍ୟମନ୍ତ୍ରୀ, ଶିଳ୍ପମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ । ହାଇଦ୍ରାବାଦ ସମ୍ମିଳନୀରୁ ଓଡ଼ିଶା ପାଇଁ ୬୭ ହଜାର କୋଟି ଟଙ୍କାର ବିନିଯୋଗ ଆସିବାର ପ୍ରତିଶ୍ରୁତି ମିଳିଥିଲା । ପଶ୍ଚିମବଙ୍ଗ ସମ୍ମିଳନୀ ମାଧ୍ୟମରେ ମଧ୍ୟ ସେହିଭଳି ସଫଳତା ଆସିବା ଆଶା କରାଯାଉଛି ।
