ଜରୁରୀ ଅବତରଣ ପ୍ରକ୍ରିୟା ବିଫଳତା ଯୋଗୁଁ ଘଟିଥିଲା ବାରାମତୀରେ ବିମାନ ଦୁର୍ଘଟଣା
ମୁମ୍ବାଇ (ସଂକେତ ଟିଭି): ମହାରାଷ୍ଟ୍ରରେ ଆଜି ସକାଳେ ଏକ ଗୁରୁତର ବିମାନ ଦୁର୍ଘଟଣା ଘଟିଛି । VT-SSK ବିମାନଟି ଆଜି ସକାଳ ପ୍ରାୟ ୮:୧୦ ସମୟରେ ମୁମ୍ବାଇରୁ ବାରାମତୀ ଅଭିମୁଖେ ବାହାରିଥିଲା । ପ୍ରାୟ ୮:୪୫ ସମୟରେ ବାରାମତୀ ଏୟାରପୋର୍ଟରେ ଅବତରଣ କରିବା ବେଳେ ଏହା ରନୱେରୁ ବାହାରକୁ ଖସିଯାଇଥିଲା ।
ଦୁର୍ଘଟଣାର ପୃଷ୍ଠଭୂମିରେ ଥିଲା ଖରାପ ପାଗ । ପୁଣେ-ବାରାମତୀ ଅଞ୍ଚଳରେ ପ୍ରବଳ କୁହୁଡ଼ି ଯୋଗୁଁ ଭିଜିବିଲିଟି ଅତି କମ୍ ଥିଲା । ବାରାମତୀ ବିମାନ ଅବତରଣ ପଥ ଛୋଟ ହୋଇଥିବା ବେଳେ ସେଠାରେ ‘ଇନଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ’ (ILS) ବା ସ୍ୱୟଂଚାଳିତ ଅବତରଣ ସୁବିଧା ନଥିଲା । ଫଳରେ ପାଇଲଟଙ୍କୁ ନିଜ ଆଖିରେ ଦେଖି ମାନୁଆଲ୍ ପଦ୍ଧତିରେ ବିମାନ ଅବତରଣ କରିବାକୁ ଚେଷ୍ଟା କରିବାକୁ ପଡ଼ିଥିଲା ।
ଅବତରଣ ପ୍ରକ୍ରିୟା ସମୟରେ ବିମାନଟି ସିଧାସଳଖ ରନ୍ ୱେ ଆଡ଼କୁ ନଆସି ଏକ ବଡ଼ ବୁଲାଣି ନେଇଥିଲା, ଯାହା ସୂଚାଉଥିଲା ଯେ ପ୍ରଥମ ଅବତରଣ ପ୍ରୟାସ ବିଫଳ ହୋଇଥିଲା । କୁହୁଡ଼ି ଯୋଗୁଁ ରନ୍ ୱେ ସହ ସମାନ୍ତରାଳ ଲ୍ୟାଣ୍ଡିଂ କଷ୍ଟକର ହେଉଥିଲା ।
ଦ୍ୱିତୀୟ ଥର ଅବତରଣ ପାଇଁ ଚେଷ୍ଟା କରାଯାଇଥିଲା ଏବଂ ଏହି ସମୟରେ ପାଇଲଟ୍ ‘ମେ-ଡେ’ ବା ଜରୁରୀକାଳୀନ ବିପଦ ସଙ୍କେତ ଦେଇଥିଲେ । DGCA ସୂତ୍ର ଅନୁସାରେ, ଏହା ଏକ ‘ଟେବୁଲ୍-ଟପ୍’ ରନ୍ ୱେ ଥିଲା । ଅବତରଣ ସମୟରେ ରନ୍ ୱେର ଧାର ନିକଟରେ ପ୍ରାୟ ୧୦୦ ଫୁଟ ଉଚ୍ଚତାରେ ବିମାନଟି ନିଜର ଭାରସାମ୍ୟ ହରାଇଥିଲା ଏବଂ ରନ୍ ୱେରେ ପହଞ୍ଚିବା ପୂର୍ବରୁ ହିଁ ତଳେ ପିଟି ହୋଇଯାଇଥିଲା ।
ବିମାନଟି ମାଡ଼ ହେବା ମାତ୍ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା ଏବଂ ପରେ କିଛି ଛୋଟ ଛୋଟ ବିସ୍ଫୋରଣ ମଧ୍ୟ ହୋଇଥିଲା । ଏହାପରେ ବିମାନରେ ଭୟଙ୍କର ନିଆଁ ଲାଗିଯାଇଥିଲା ଯାହା ଏତେ ପ୍ରବଳ ଥିଲା ଯେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିବା ସମ୍ଭବ ହୋଇନଥିଲା ।
ବର୍ତ୍ତମାନ ଦୁର୍ଘଟଣାର ତଦନ୍ତ ଜାରି ରହିଛି । DGCA ରିପୋର୍ଟ ଆସିବା ପରେ ହିଁ ଏହି ଦୁଃଖଦ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।
