ପେଟ୍ରୋଲ ପମ୍ପ ଓ ଷ୍ଟେସନରେ ମିଳିବ ଗ୍ୟାସ୍
ଭୁବନେଶ୍ୱର (ସଂକେତ୍ ଟିଭି): ଗ୍ୟାସ୍ ପାଇଁ ଆଉ ହଇରାଣ ହେବାକୁ ପଡ଼ିବନି। ପେଟ୍ରୋଲ ପମ୍ପ ପରେ ଏବେ ଷ୍ଟେସନ ପାଖରେ ମଧ୍ୟ ଗ୍ୟାସ୍ ଉପଲବ୍ଧ ହେବ। ଏନେଇ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବିଶେଷକରି ପ୍ରବାସୀ ଶ୍ରମିକମାନଙ୍କ ପାଇଁ ୫ କେଜିଆ ଗ୍ୟାସ୍ ବ୍ୟବସ୍ଥା କରାଯାଇଛି।
ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଦେଶରେ ଗ୍ୟାସ୍ ଓ ତୈଳର ସାମୟିକ ଅଭାବ ଦେଖାଦେଇଥିଲା। ଏହାର ସିଧାସଳଖ ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡ଼ିଥିଲା। ସର୍ବାଧିକ ହନ୍ତସନ୍ତ ହୋଇଥିଲେ ଦିନ ମଜୁରିଆ ଓ ପ୍ରବାସୀ ଶ୍ରମିକ। ସ୍ଥାୟୀ ଠିକଣା ପ୍ରମାଣପତ୍ର ନଥିବାରୁ ସେମାନେ ୧୪ କେଜିଆ ବଡ଼ ସିଲିଣ୍ଡର ପାଇବାରେ ଅସମର୍ଥ ଥିଲେ। ସେମାନଙ୍କ ପାଇଁ ୫ କେଜିଆ ଛୋଟ ସିଲିଣ୍ଡର ହିଁ ଏକମାତ୍ର ସହାୟକ ଥିଲା।
କିନ୍ତୁ ଯୋଗାଣ କମ୍ ଥିବାରୁ କିଛି ଅସାଧୁ ବ୍ୟବସାୟୀ କଳାବଜାରୀ କରି ଅଧିକ ଦାମ୍ରେ ବିକ୍ରି କରୁଥିଲେ। ଅନେକ ପ୍ରବାସୀ ଶ୍ରମିକ ଅତିଷ୍ଠ ହୋଇ ପୁଣି କାଠ ଚୁଲିକୁ ଆପଣେଇଥିଲେ, ତ କିଛି ଶ୍ରମିକ ସହର ଛାଡ଼ି ନିଜ ଗାଁକୁ ଫେରିବା ଆରମ୍ଭ କରିଥିଲେ।
ତେବେ ଏଣିକି ଆଧାର କାର୍ଡ ଓ ଶ୍ରମ କାର୍ଡ ଦେଖାଇ ଷ୍ଟେସନରୁ ୫ କେଜିଆ ଗ୍ୟାସ୍ ନେଇପାରିବେ। ଏଥିପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ରାଜ୍ୟରେ ଆଉ ଗ୍ୟାସ୍ ସଙ୍କଟ ନାହିଁ। ପୂର୍ବରୁ ୫ କେଜିଆ ଗ୍ୟାସ୍ ନେଇ ଛାତ୍ରଛାତ୍ରୀମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ସରକାର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ୫ କେଜିଆ ଗ୍ୟାସ୍ ବ୍ୟବସ୍ଥା କରିଛନ୍ତି।
ପେଟ୍ରୋଲ ପମ୍ପ୍ରେ ଗ୍ୟାସ୍ ଉପଲବ୍ଧ ହେଲାଣି। ଷ୍ଟେସନରେ ମଧ୍ୟ ଗ୍ୟାସ୍ ମିଳିବା ଆରମ୍ଭ ହୋଇଯାଇଛି। ଆଗାମୀ ଦିନରେ ଅଧିକରୁ ଅଧିକ ଗ୍ୟାସ୍ ଷ୍ଟେସନ ଖୋଲିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଘରୋଇ ହଷ୍ଟେଲରେ ଛାତ୍ରଛାତ୍ରୀ ଓ ପ୍ରବାସୀ ଶ୍ରମିକ ନିଜର ପରିଚୟ ପତ୍ର ଦେଖାଇ ୫ କେଜିଆ ଗ୍ୟାସ୍ ସିଲିଣ୍ଡର ନେଉଛନ୍ତି। ଏଥିପାଇଁ ସେମାନଙ୍କୁ ୧୫୭୪ ଟଙ୍କା ଦେବାକୁ ପଡ଼ିବ।
