ଓଡିଶାରେ ଲାଗୁହେଲା ଶିକ୍ଷକ କ୍ୟାଡରରେ ସଂରକ୍ଷଣ ଅଧିନିୟମ
ଭୁବନେଶ୍ୱର (ସଂକେତ୍ ଟିଭି) ଓଡ଼ିଶାର ରାଜ୍ୟପାଳ ଡ଼. ହରିବାବୁ କମ୍ଭମ୍ପାଟି ବିଧାନସଭାରେ ପାରିତ ହୋଇଥିବା ‘ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ବିଧେୟକ-୨୦୨୬’କୁ ସ୍ୱୀକୃତି ପ୍ରଦାନ କରିବା ପରେ ଏହି ଅଧିନିୟମ ସାରା ରାଜ୍ୟରେ ଲାଗୁ କରାଯାଇଛି।
ବିଗତ ମାର୍ଚ୍ଚ ୩୧ ତାରିଖରେ ବିଧାନସଭାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଲୋଚନା ହେବା ପରେ ଏହି ବିଧେୟକକୁ ପାରିତ କରାଯାଇଥିଲା। ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରିବା ପରେ ଏହା ଏବେ ଓଡ଼ିଶାର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ପ୍ରଯୁଜ୍ୟ ହୋଇଛି।
ଏହି ଅଧିନିୟମ ଲାଗୁ ହେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ରାଜ୍ୟପାଳଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହାକୁ ଓଡ଼ିଶାର ଉଚ୍ଚଶିକ୍ଷା ବିକାଶ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତପ୍ରକାଶ କରିଛନ୍ତି।
ମନ୍ତ୍ରୀ ଶ୍ରୀ ସୂରଜ ବିସ୍ତୃତ ଭାବେ କହିଛନ୍ତି ଯେ, ଏହି ନୂଆ ଅଧିନିୟମ ଅନୁସାରେ, ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିରେ ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟକୁ ଏକକ ଭାବେ (University as a single Unit) ବିଚାର କରାଯିବ। ପୂର୍ବରୁ ଥିବା ବିଭାଗ ଭିତ୍ତିକ ସଂରକ୍ଷଣ ପ୍ରଣାଳୀକୁ ଉଚ୍ଛେଦ କରାଯାଇଛି। ଏହାଫଳରେ ଅନୁସୂଚିତ ଜନଜାତି (ଏସଟି), ଅନୁସୂଚିତ ଜାତି (ଏସସି) ଏବଂ ଏସଇବିସି ବର୍ଗର ଶିକ୍ଷକମାନଙ୍କର ପ୍ରତିନିଧିତ୍ୱ ସୁନିଶ୍ଚିତ ହୋଇପାରିବ।
ଉଚ୍ଚଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟରେ ବହୁଦିନ ଧରି ଖାଲି ରହିଥିବା କୁଳପତି ପଦବୀକୁ ପୂରଣ କରାଯାଇଛି। ଏକାସହ ୧୪ଟି ବିଶ୍ୱବିଦ୍ୟାଳୟରେ ଓଡ଼ିଶାର ଶିକ୍ଷାବିତ୍ ମାନଙ୍କୁ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହ, ଏହି ନୂଆ ଅଧିନିୟମ ଲାଗୁ ହେବା ପରେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ସେ ମତପ୍ରକାଶ କରିଛନ୍ତି।
