ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ୍ କୀ ବାତ୍’: ବୁଦ୍ଧଙ୍କ ଶାନ୍ତିବାର୍ତ୍ତାରୁ ମହାକାଶ ବିଜ୍ଞାନ ପର୍ଯ୍ୟନ୍ତ
ନୂଆଦିଲ୍ଲୀ(ସଂକେତ ଟିଭି):ରବିବାର ଦିନ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏଥିରେ ସେ ଭଗବାନ ବୁଦ୍ଧଙ୍କ ଶାନ୍ତିବାର୍ତ୍ତାଠାରୁ ଆରମ୍ଭ କରି ମହାକାଶ ବିଜ୍ଞାନରେ ଭାରତର ଅବଦାନ ପର୍ଯ୍ୟନ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପସ୍ଥାପନ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାରା ବିଶ୍ୱ ଗୌତମ ବୁଦ୍ଧଙ୍କ ଆଦର୍ଶକୁ ପାଳନ କରିବା ଅତ୍ୟନ୍ତ ଜରୁରୀ। ବୁଦ୍ଧଙ୍କ ବିଚାର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଖୁବ୍ ପ୍ରାସଙ୍ଗିକ। ଚିଲିର ଏକ ସଂସ୍ଥା ବୁଦ୍ଧଙ୍କ ବିଚାରକୁ ପ୍ରଚାର କରୁଛି, ଯାହା ଲୋକମାନଙ୍କୁ ପ୍ରକୃତି ସହିତ କିପରି ସଂଯୁକ୍ତ ହୋଇ ରହିବେ ତାହା ଶିକ୍ଷା ଦେଉଛି। ବୁଦ୍ଧ ସର୍ବଦା ଆମକୁ ଶାନ୍ତିର ମାର୍ଗ ଦେଖାଇ ଆସିଛନ୍ତି। ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଶ୍ୱରେ ଆର୍ଥିକ ଅସ୍ଥିରତା ସୃଷ୍ଟି କରିଛି ଏବଂ ବିଶ୍ୱକୁ ଏକ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି, ଯାହାକୁ ବୁଦ୍ଧଙ୍କ ଶାନ୍ତିର ବାଟ ଅଟକାଇପାରିବ।
ଆଗାମୀ ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭଗବାନ ବୁଦ୍ଧଙ୍କ ସନ୍ଦେଶ ସଦାବେଳେ ଏହାର ପ୍ରାସଙ୍ଗିକତା ବଜାୟ ରଖିଥାଏ। ଭାରତ ସର୍ବଦା ବିଜ୍ଞାନକୁ ଦେଶର ପ୍ରଗତିରେ ବ୍ୟବହାର କରି ଆସିଛି। ଦେଶର ବୈଜ୍ଞାନିକମାନେ ସିଭିଲ୍ ନ୍ୟୁକ୍ଲିୟର୍ ପ୍ରୋଗ୍ରାମକୁ ଆଗକୁ ନେଉଛନ୍ତି, ଯାହା ରାଷ୍ଟ୍ର ନିର୍ମାଣରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେବ। କୃଷକଠାରୁ ଆରମ୍ଭ କରି ଉଦ୍ୟୋଗୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ନ୍ୟୁକ୍ଲିୟର୍ ପ୍ରୋଗ୍ରାମ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି ଗର୍ବର ସହ କହିଛନ୍ତି ଯେ, ଭାରତର ବୈଜ୍ଞାନିକମାନେ ଦେଶକୁ ଗୌରବାନ୍ବିତ କରିଛନ୍ତି। ତାମିଲନାଡୁର କଳ୍ପାକ୍କମ୍ରେ ପ୍ରଥମ ବ୍ରିଡର୍ ରିଆକ୍ଟର କାର୍ଯ୍ୟକ୍ଷମ ହେବା ଆରମ୍ଭ କରିଛି, ଯାହା ଏକ ଐତିହାସିକ ମାଇଲଖୁଣ୍ଟ। ଭାରତର ନ୍ୟୁକ୍ଲିୟର୍ ଯାତ୍ରାରେ ଏହାର ଅବଦାନ ଅତୁଳନୀୟ। ସବୁଠାରୁ ବଡ଼ କଥା ହେଉଛି ଯେ, ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ। ଶେଷରେ, ଆସନ୍ତା ଜନଗଣନା କାର୍ଯ୍ୟକ୍ରମରେ ସାମିଲ ହେବାକୁ ସେ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି।
