FeaturedLatestNews

୨୨ରେ ପୁଣି ଲଘୁଚାପ, ବଢ଼ିବ ବର୍ଷାର ପ୍ରକୋପ

ଭୁବନେଶ୍ୱର (ସଂକେତ୍ ଟିଭି): ୨୨ରେ ପୁଣି ଲଘୁଚାପ। ବଢ଼ିବ ବର୍ଷାର ପ୍ରକୋପ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମଧ୍ୟପ୍ରଦେଶ ଓ ସଂଲଗ୍ନ ଉତ୍ତର ବିଦର୍ଭ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହାରି ପ୍ରଭାବରେ ମୌସୁମୀ ନିମ୍ନଚାପ ରେଖା ଓଡ଼ିଶା ଦେଇ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଏହା ପ୍ରଭାବରେ ଓଡ଼ିଶାରେ ପାଗରେ ପରିବର୍ତ୍ତନ ଆସିଛି। ତେବେ ଲଘୁଚାପ ଯିବା ସତ୍ତ୍ୱେ ଓଡ଼ିଶା ଉପରେ ଏବେ ବି ବର୍ଷା ସମ୍ଭାବନା ରହିଛି।

ମୌସୁମୀ ଟ୍ରଫ୍ ଲାଇନ ସକ୍ରିୟ ରହିଥିବାରୁ ଏହା ରାଜ୍ୟରେ ବର୍ଷା କରାଇବା ନେଇ ଆକଳନ କରାଯାଉଛି। ୨୦ ସେପ୍ଟେମ୍ବର ବେଳକୁ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହି ଉତ୍ତର-ପଶ୍ଚିମ ଦିଗକୁ ଗତି କରି ପ୍ରାୟ ୨୨ ସେପ୍ଟେମ୍ବର ବେଳକୁ ଦକ୍ଷିଣ ଓଡ଼ିଶା ଉତ୍ତର ଆନ୍ଧ୍ର ଉପକୂଳ ନିକଟକୁ ଆସିପାରେ। ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଏହା କେତେ ଶକ୍ତିଶାଳୀ ହେବ, କେଉଁ ଦିଗକୁ ଯିବ ଏବଂ କେଉଁ ଅଞ୍ଚଳରେ ଅଧିକ ବର୍ଷା କରାଇବ ତାହା ସ୍ପଷ୍ଟ ହୋଇନାହିଁ।

ପ୍ରବଳ ବର୍ଷା ପାଇଁ ଆଜି ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲ୍ଲାର ଗୋଟିଏ କି ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା। ଏଥିସହ ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି। ୧୬ ତାରିଖ ଦିନ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ରହିଛି। ଏହା ପରେ ପରେ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।