ସ୍ଥାୟୀ ନିଯୁକ୍ତି ଦାବିରେ ରାଜଧାନୀରେ ଗର୍ଜିଲେ କନିଷ୍ଠ ଶିକ୍ଷକ
ଭୁବନେଶ୍ୱର (ସଂକେତ ଟିଭି): ସ୍ଥାୟୀ ନିଯୁକ୍ତି ଦାବିରେ ରାଜଧାନୀରେ କନିଷ୍ଠ ଶିକ୍ଷକମାନେ ଗର୍ଜନ କରିଛନ୍ତି। ଲୋୟର ପିଏମଜିରେ ବିଶାଳ ଗଣଧାରଣା ଦେଇ ସରକାରଙ୍କ ଉଦାସୀନତା ଓ ପ୍ରଶାସନିକ ବିଳମ୍ବ ବିରୋଧରେ ପ୍ରତିବାଦ ଜାହିର କରିଛନ୍ତି।
ସରକାରଙ୍କ ବିଜ୍ଞପ୍ତି ସତ୍ତ୍ୱେ ୧୩ ହଜାରରୁ ଊର୍ଦ୍ଧ୍ୱ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ ନିୟମିତ ହେଉ ନାହାନ୍ତି। ହାଇକୋର୍ଟଙ୍କ ରହିତାଦେଶ ପରେ ସତ୍ୟପାଠ ଦାଖଲରେ ସରକାରୀ ବିଳମ୍ବ ଅଭିଯୋଗ ହୋଇଛି।
ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାରରୁ ଅଧିକ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ ବିଧାନସଭା ସମ୍ମୁଖରେ ଏକତ୍ରିତ ହୋଇ ବିଶାଳ ଗଣଧାରଣା ଦେଇଛନ୍ତି। ହଜାର ହଜାର ଶିକ୍ଷକ ହାତରେ ପ୍ଲାକାର୍ଡ ଧରି ନାରାବାଜି କରିବା ସହ ରାଜରାସ୍ତାରେ ନିଜର ପ୍ରତିବାଦ ଜାହିର କରିଛନ୍ତି।
ଆନ୍ଦୋଳନରତ ଶିକ୍ଷକମାନଙ୍କ ଅଭିଯୋଗ ଅନୁଯାୟୀ, ରାଜ୍ୟ ସରକାର ୧୩ ହଜାରରୁ ଅଧିକ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ନେଇ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ମାତ୍ର ଏହି ବିଜ୍ଞପ୍ତି ବିରୋଧରେ ମାମଲା ଦାଏର ହେବା ପରେ ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିଥିଲେ।
ଏଥିସହ ପକ୍ଷ ରଖିବା ପାଇଁ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ, ସରକାର ମାସ ମାସ ଧରି କୋର୍ଟରେ ଆବଶ୍ୟକ ସତ୍ୟପାଠ ଦାଖଲ ନକରି କାଳକ୍ଷେପଣ ନୀତି ଆପଣେଇଛନ୍ତି।
ସରକାରୀ ବିଳମ୍ବ ଯୋଗୁଁ ହାଇକୋର୍ଟରେ ମାମଲା ଝୁଲି ରହିଛି ଏବଂ ଶିକ୍ଷକମାନଙ୍କ ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ବର୍ଷ ବର୍ଷ ଧରି ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଥିଲେ ମଧ୍ୟ ସେମାନଙ୍କ ଭବିଷ୍ୟତ ଏବେ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି ବୋଲି ଶିକ୍ଷକ ସଂଘ କ୍ଷୋଭ ପ୍ରକାଶ କରିଛି।
ସରକାର ଯେ ପର୍ଯ୍ୟନ୍ତ ହାଇକୋର୍ଟରେ ଯଥାର୍ଥ ସତ୍ୟପାଠ ଦାଖଲ କରି ଆଇନଗତ ବାଧାବିଘ୍ନ ଦୂର ନକରନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଶିକ୍ଷକ ପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି।
