ନାଇଜର୍ ହଷ୍ଟେଲ ଛାତରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ
ଭୁବନେଶ୍ୱର (ସଂକେତ ଟିଭି): ଖୋର୍ଦ୍ଧା ଜଟଣୀସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (NISER) କ୍ୟାମ୍ପସରେ ଏକ ଅଘଟଣ ଘଟିଛି। ହଷ୍ଟେଲ ଛାତ ଉପରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଲେ ମହାରାଷ୍ଟ୍ର ନାଗପୁରର ବିନୟ ସନ୍ୟାସୀ ଭେଙ୍କଟ। ସେ NISERର ତୃତୀୟ ବର୍ଷ ଇଣ୍ଟିଗ୍ରେଟେଡ୍ MScର ଛାତ୍ର ଥିଲେ।
ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଭେଙ୍କଟ ଭାଗୀରଥୀ ହଷ୍ଟେଲର ଛାତ ଉପରୁ ତଳକୁ ପଡ଼ିଯାଇଥିଲେ। ଘଟଣା ପରେ ସୁରକ୍ଷାକର୍ମୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି NISER କ୍ୟାମ୍ପସ ହେଲ୍ଥ ସେଣ୍ଟରକୁ ନେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଗୁରୁତର ଅବସ୍ଥାରେ AIIMS ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ବିନୟଙ୍କୁ ମୃତ ଘୋଷଣା କରିଥିଲେ ବୋଲି ସୂଚନା ମିଳିଛି।
ଘଟଣା ସମ୍ପର୍କରେ ସୂଚନା ପାଇ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଛାତ୍ରଙ୍କ ମୃତଦେହ AIIMS ଭୁବନେଶ୍ୱରରେ ରହିଛି। ପରିବାର ଲୋକେ ନାଗପୁରରୁ ଆସିବା ପରେ ପୋଷ୍ଟମର୍ଟମ କରାଯିବ ବୋଲି ଜଣାପଡ଼ିଛି।
ତେବେ ଛାତ୍ର ଜଣକ କେଉଁ ପରିସ୍ଥିତିରେ ଛାତ ଉପରୁ ତଳକୁ ପଡ଼ିଲେ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିନାହିଁ। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। NISER କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତି ଜାରି ହୋଇନାହିଁ।
ଶିକ୍ଷାର ମନ୍ଦିରରେ ଅସୁରକ୍ଷିତ ହୋଇପଡ଼ିଛି କି ଛାତ୍ରଛାତ୍ରୀଙ୍କ ଜୀବନ? କେତେ ସୁରକ୍ଷିତ ଶିକ୍ଷାନୁଷ୍ଠାନର ହଷ୍ଟେଲ ଓ କ୍ୟାମ୍ପସ୍? ବାରମ୍ବାର ଘଟୁଥିବା ଅଘଟଣ ଏବେ ଉଠାଇଛି ବଡ଼ ପ୍ରଶ୍ନ। କେତେବେଳେ ହଷ୍ଟେଲ ଛାତରୁ ଖସି, ତ ଆଉ କେତେବେଳେ କଲେଜ ବିଲ୍ଡିଂରୁ ପଡ଼ି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି।
ଶୁକ୍ରବାର ରାତିରେ NISER କ୍ୟାମ୍ପସରେ ଘଟିଥିବା ଛାତ୍ର ମୃତ୍ୟୁ ଘଟଣା ପୁଣିଥରେ ହଷ୍ଟେଲ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଛିଡ଼ା କରିଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ହଷ୍ଟେଲଗୁଡ଼ିକରେ କେତେ ଦୃଢ଼ ବ୍ୟବସ୍ଥା ରହିଛି? ଛାତ, ବାଲକୋନି ଓ ଅନ୍ୟାନ୍ୟ ବିପଦପ୍ରବଣ ସ୍ଥାନରେ ସୁରକ୍ଷା ମାନଦଣ୍ଡ ପାଳନ ହେଉଛି କି? ଏସବୁ ପ୍ରଶ୍ନ ଏବେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଚିନ୍ତା ବଢ଼ାଇଛି। ଏହାକୁ ନେଇ ତଦନ୍ତ ରିପୋର୍ଟ କଣ ଆସୁଛି, ତା ଉପରେ ରହିଛି ସମସ୍ତଙ୍କର ନଜର।
