ମଧ୍ୟପ୍ରଦେଶର ଏକ ନାଳରେ ବୁଡ଼ିଲା ଓଡ଼ିଆ ତୀର୍ଥଯାତ୍ରୀଙ୍କ କାର: ୮ ଜଣଙ୍କ ମୃତ୍ୟୁ
ଭୋପାଳ (ସଂକେତ ଟିଭି): ମାତା ବଗଳାମୁଖିଙ୍କ ଦର୍ଶନ ପାଲଟିଲା ଶେଷଯାତ୍ରା। ମଧ୍ୟ ପ୍ରଦେଶ ମାଲୱା ଅଞ୍ଚଳରେ ବଗଳାମୁଖି ମାତାଙ୍କୁ ଦର୍ଶନ କରିବାକୁ ଆସିଥିବା ଓଡ଼ିଆ ଶ୍ରଦ୍ଧାଳୁଙ୍କ କାର୍ ଏକ ନାଳରେ ବୁଡ଼ିଯିବାରୁ ୮ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ଓଡ଼ିଶାର ଭୁବନେଶ୍ୱର ହୋଇଥିବା ବେଳେ, ଅନ୍ୟଜଣେ ମୃତକ (ଡ୍ରାଇଭର) ମଧ୍ୟ ପ୍ରଦେଶର।
ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହା ସହିତ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ମଧ୍ୟ ପ୍ରାଣହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଯଥାଶୀଘ୍ର ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଭାଗ୍ୟଜନକ ଘଟଣାରେ ଦୁଃଖପ୍ରକାଶ କରି X ରେ ଲେଖିଛନ୍ତି, “ମଧ୍ୟପ୍ରଦେଶର ଆଗର ମାଲୱାରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ମୁଁ ସମବେଦନା ଜଣାଉଛି। ପ୍ରତ୍ୟେକ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ PMNRF (ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠି)ରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ଆହତମାନଙ୍କୁ ୫୦,୦୦୦ ଟଙ୍କା ଦିଆଯିବ।”
ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ଲେଖିଛନ୍ତି, “ଆଗର-ମାଲୱା ଜିଲ୍ଲାର ନାଲଖେଡା ଠାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଜୀବନହାନି ଘଟିଥିବା ଖବର ଅତ୍ୟନ୍ତ ହୃଦୟବିଦାରକ। ଓଡ଼ିଶାରୁ ମଧ୍ୟପ୍ରଦେଶକୁ ଧାର୍ମିକ ଯାତ୍ରାରେ ଆସି ପ୍ରାଣ ହରାଇଥିବା ସେହି ତୀର୍ଥଯାତ୍ରୀମାନଙ୍କ ପରିବାରବର୍ଗଙ୍କ ପ୍ରତି ମୁଁ ମୋର ସମବେଦନା ଜଣାଉଛି। ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ଏବଂ ସମସ୍ତ ସମ୍ଭବ ସହଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ମୁଁ ବାବା ମହାକାଳଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ଦିବଂଗତ ଆତ୍ମାମାନଙ୍କୁ ତାଙ୍କର ଦିବ୍ୟ ଚରଣରେ ସ୍ଥାନ ମିଳୁ ଏବଂ ଏହି ଗଭୀର ଦୁଃଖକୁ ସହ୍ୟ କରିବା ପାଇଁ ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଶକ୍ତି ପ୍ରଦାନ କରନ୍ତୁ। ଓଁ ଶାନ୍ତି!”
ମୃତ ଓଡ଼ିଆ ତୀର୍ଥଯାତ୍ରୀଙ୍କ ପରିଚୟ ମିଳିଛି। କାର୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କ ପରିଚୟ ମିଳିଛି। ଏମାନେ ଭୁବନେଶ୍ୱର ଜୟଦେବ ବିହାରର ଢାବା ମାଲିକ ବନମାଳୀ ବେହେରାଙ୍କ ପରିବାରର ବୋଲି ଜଣା ପଡ଼ିଛି।
୧- ଶିବ ବେହେରା (୪୦)
୨- ସ୍ୱୟଂପ୍ରଭା ବେହେରା (୭)
୩- କ୍ରିସ୍ ବେହେରା (୧୩)
୪- ରାଧାରାଣୀ ବେହେରା (୩୦)
୫- ଜ୍ଞାନେନ୍ଦ୍ର ବେହେରା (୪୦)
୬- ରୀତାରାଣି ବେହେରା (୩୫)
୭- ରିଶି ବେହେରା (୧୧)
ମଧ୍ୟପ୍ରଦେଶରେ ୭ ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତ୍ୟୁକୁ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ସେ ନିଜ X ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି, “ମଧ୍ୟପ୍ରଦେଶରେ ଏକ ଦୁର୍ଘଟଣାରେ ଓଡ଼ିଆ ପର୍ଯ୍ୟଟକମାନଙ୍କର ଦୁଃଖଦ ମୃତ୍ୟୁ ଘଟଣାରେ ମୁଁ ଗଭୀର ମର୍ମାହତ। ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଦିବଂଗତ ଆତ୍ମାମାନଙ୍କର ସଦ୍ଗତି ହେଉ। ସମସ୍ତ ଆବଶ୍ୟକୀୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ମୃତଦେହକୁ ଉଚିତ୍ ସମ୍ମାନର ସହ ଓଡ଼ିଶା ଫେରାଇ ଆଣିବା ସୁନିଶ୍ଚିତ କରିବା ପାଇଁ ମୁଁ ଅଧିକାରୀମାନଙ୍କୁ ମଧ୍ୟପ୍ରଦେଶ ସରକାର ଓ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ଦୁଃଖଦ ସମୟରେ ରାଜ୍ୟ ସରକାର ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହ ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି।”
ଓଡ଼ିଆ ତୀର୍ଥଯାତ୍ରୀମାନେ ଶନିବାର ମା’ ବଗଳାମୁଖି ମନ୍ଦିରରେ ଦର୍ଶନ ଶେଷ କରି ଏକ କାର୍ ଫେରୁଥିଲେ। ଏହି ସମୟରେ ବର୍ଷାଜଳ ପୂର୍ଣ୍ଣ ନାଳ ପାର୍ କରୁଥିବା ସମୟରେ କାର୍ଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଆଖିପିଛୁଳାକେ ପାଣିର ସ୍ରୋତରେ କାର୍ଟି ଭାସି ଯାଇଥିଲା। ଏହି ଦୁର୍ଘଟଣା ଏତେ ତତ୍କ୍ଷଣାତ୍ ଘଟିଥିଲା ଯେ, ଏଥିରୁ ବର୍ତ୍ତିବା ପାଇଁ କୌଣସି ସୁଯୋଗ ମଧ୍ୟ ମିଳିନଥିଲା।
ମଧ୍ୟପ୍ରଦେଶ ଅଗର ମାଲୱା ଜିଲ୍ଲା ଏସ୍ପି ଦିଲ୍ଲୀପ ସୋନିଙ୍କ ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୭ ଜଣ ବ୍ୟକ୍ତି ଓଡ଼ିଶାର ଓ ଗାଡ଼ି ଚାଳକ ଜଣକ ମଧ୍ୟ ପ୍ରଦେଶର ବାସିନ୍ଦା। ମୃତକମାନଙ୍କ ମଧ୍ୟରେ ୩ ଜଣ ଶିଶୁ, ୨ ମହିଳା ଓ ୩ ପୁରୁଷ ଅଛନ୍ତି।
ଅଗର ମାଲୱା ଜିଲ୍ଲାପାଳ ଶେର ସିଂହ ମୀନା କହିଛନ୍ତି, “ଭୋର ସମୟର ଅନ୍ଧକାର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ନାଳରେ ପାଣିର ସ୍ତର କମିବା ପରେ ହିଁ କାର୍ର ଛାତ ଦୃଶ୍ୟମାନ ହୋଇଥିଲା। ଘଟଣାସ୍ଥଳରେ ପହଞ୍ଚିଥିବା ଦଳ ଗାଡ଼ି ଭିତରୁ ଆଠଟି ମୃତଦେହ (ପାଞ୍ଚ ଜଣ ବୟସ୍କ ଓ ତିନି ଜଣ ଶିଶୁ) ଉଦ୍ଧାର କରିଥିଲେ। ପୋଲର ଉଭୟ ପାର୍ଶ୍ୱରେ ଲୁହାର ବ୍ୟାରିକେଡ୍ ରହିଛି, ତେଣୁ କାର୍ଟି ପୋଲ ଉପରୁ ଖସିପଡ଼ିଥିଲା ନା ଅନ୍ୟ କୌଣସି ସ୍ଥାନରୁ ପଡ଼ିଥିଲା, ତାହା ଜାଣିବା ପାଇଁ ତଦନ୍ତ ଚାଲିଛି।”
