ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ୨୮ ଲକ୍ଷ ୪୨ ହଜାର ହିତାଧିକାରୀଙ୍କୁ ମିଳିବ ପକ୍କା ଘର
ଭୁବନେଶ୍ୱର (ସଂକେତ ଟିଭି): ଆବାସ ହିତାଧିକାରୀଙ୍କ ପାଇଁ ଖୁସି ଖବର । ରାଜ୍ୟର ୨୮ ଲକ୍ଷ ୪୨ ହଜାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିବ ଘର । ଏହି ସଂଖ୍ୟକ ହିତାଧିକାରୀ ପକ୍କା ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ ।
ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି, ରାଜ୍ୟରେ ମୋଟ ୩୭ ଲକ୍ଷ ୮୯ ହଜାର ୨୩୪ଟି ତାଲିକା ହୋଇଥିଲା । ସେଥି ମଧ୍ୟରୁ ୨୮ ଲକ୍ଷ ୪୨ ହଜାର ୨୦ ଜଣ ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ଭାରତ ସରକାରଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଜିଲ୍ଲାସ୍ତରୀୟ ଆପିଲେଟ୍ କମିଟି ଦ୍ୱାରା ଯାଞ୍ଚ କରାଯାଇ ଏହି ଯୋଗ୍ୟ ତାଲିକା ପ୍ରସ୍ତୁତ କରାଯାଇଛି ।
ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କୁ ଘର ଯୋଗାଇବା ପାଇଁ ଆମେ ମୁଖ୍ୟମନ୍ତ୍ରୀ ଏବଂ ସାଂସଦମାନଙ୍କ ଗହଣରେ ଯାଇ କଥା ହେଇଥିଲୁ । ଏବେ ଆମେ ଘର ପାଇବା ପାଇଁ ଯୋଗ୍ୟ ହୋଇଛୁ । ମନ୍ତ୍ରୀ କହିଛନ୍ତି, ବିଗତ ଦିନରେ ଯେଉଁମାନେ ବଞ୍ଚିତ ହେଉଥିଲେ, ଯେଉଁମାନେ ଦିବ୍ୟାଙ୍ଗ ଥିଲେ, ଯେଉଁମାନେ ଅସହାୟ ଥିଲେ, ସେମାନଙ୍କ ପାଇଁ ମଧ୍ୟ ଘର ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ଅଗଷ୍ଟ ୧୧ ତାରିଖରେ ଦିଲ୍ଲୀରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ, ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସଂସଦୀୟ ପ୍ରତିନିଧି ଦଳ ଭେଟିଥିଲେ । କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଅଗଷ୍ଟ ୨୭ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ ସରିଯିବ । ଆଉ ସେପ୍ଟେମ୍ବରରେ ନିଜେ ଶିବରାଜ ସିଂ ଚୌହ୍ୱାନ ଓଡ଼ିଶା ଆସି ଯୋଗ୍ୟ ହିତାଧିକାରୀଙ୍କୁ ଘର ବାଣ୍ଟିବେ ।
