FeaturedLatestNews

ସୁବର୍ଣ୍ଣରେଖା ନଦୀରେ ବୁଡ଼ିଯାଇ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ, ୨ ନାବାଳକ ନିଖୋଜ

ବାଲେଶ୍ବର (ସଂକେତ ଟିଭି): ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ଦୁଇ ଘଣ୍ଟା ଧରି ଚାଲିଥିବା ଉଦ୍ଧାର ଅପରେସନ ପରେ ତାଙ୍କ ମୃତଦେହ ମିଳିଥିଲା। ମୃତକ ହେଉଛନ୍ତି ଅଯୋଧ୍ୟାର ଅଶୋକ ପାଠକ।

ବାଲେଶ୍ୱର ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ଠାରେ ଏହି ଦୁର୍ଘଟଣା ଘଟିଛି। ଉତ୍ତର ପ୍ରଦେଶର କିଛି ପର୍ଯ୍ୟଟକ ଏକ ବସ୍‌ରେ ପୁରୀ ବୁଲିବା ପାଇଁ ଆସିଥିଲେ। କିନ୍ତୁ ରାଜଘାଟ ଠାରେ ନଦୀରେ ଗାଧୋଇବା ସମୟରେ ଅଶୋକ ବୁଡ଼ିଯାଇଥିଲେ।

ଘଟଣା ଜଣାପଡ଼ିବା ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ୨ ଘଣ୍ଟା ଧରି ଏହି ଉଦ୍ଧାର ଅପରେସନ ଚାଲିଥିଲା। ପରେ ପାଣି ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ସେପଟେ ସୁବର୍ଣ୍ଣରେଖା ନଦୀରେ ବୁଡ଼ିଯାଇ ୨ ଜଣ ନାବାଳକ ନିଖୋଜ ଅଛନ୍ତି। ବାଲେଶ୍ୱର ଜିଲ୍ଲା ଶେଖବାଡ଼ି ନିକଟରେ ଏହି ଅଘଟଣ ଘଟିଛି।

ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୧୨ଟା ସମୟରେ ୩ ଜଣ ନାବାଳକ ସାଙ୍ଗ ହୋଇ ସୁବର୍ଣ୍ଣରେଖା ନଦୀରେ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ୨ ଜଣ ବୁଡ଼ିଯାଇଥିବା ବେଳେ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଜଳେଶ୍ୱର ଅଗ୍ନିଶମ ବାହିନୀ ପକ୍ଷରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଚାଲିଛି। ନିଖୋଜ ଦୁଇ ନାବାଳକ ହେଉଛନ୍ତି ୧୫ ବର୍ଷୀୟ ସାମସେଦ ଏବଂ ଅନ୍ୟ ଜଣେ ୧୧ ବର୍ଷୀୟ ଜିସାନ। ଉଭୟଙ୍କ ଘର ଝାଡ଼େଶ୍ୱରପୁର ଅଞ୍ଚଳରେ। ସେମାନେ ଜଳେଶ୍ୱରରେ ନିଜ ବନ୍ଧୁ ଘରକୁ ବୁଲିବାକୁ ଆସିଥିବା ସମୟରେ ଏହି ଅଘଟଣ ଘଟିଛି।

Leave a Reply

Your email address will not be published. Required fields are marked *