FeaturedLatestNews

ବନ୍ୟାପ୍ରଭାବିତ ୩ ଜିଲ୍ଲାରେ ୪ ଜଣ ଆଇଏଏସ ଅଧିକାରୀ ନିୟୋଜିତ

ଭୁବନେଶ୍ୱର (ସଂକେତ ଟିଭି): ବନ୍ୟାରେ ପ୍ରଭାବିତ ତିନି ଜିଲ୍ଲା ପାଇଁ ୪ ଜଣ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଗଜପତି ଜିଲ୍ଲା ପାଇଁ ପବନ କୁମାର, ଗଞ୍ଜାମ ଜିଲ୍ଲା ପାଇଁ ଅଜିତ କୁମାର ଓ ତେଜସ୍ୱିନୀ ବେହେରା ଏବଂ କନ୍ଧମାଳ ଜିଲ୍ଲା ପାଇଁ ଶିବ ମାଲବ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି ।

ଗଞ୍ଜାମରେ ୨ ଜଣ, ଗଜପତିରେ ୧ ଜଣ ଓ କନ୍ଧମାଳରେ ୧ ଜଣ ଐଆଜ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସମସ୍ତ ଐଆଜ ଅଧିକାରୀଙ୍କୁ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର କ୍ଷମତା ଦିଆଯାଇଛି ।

ସ୍ୱତନ୍ତ୍ର ରିଲିଫ କମିଶନ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୨୦୨୪ ବ୍ୟାଚର ଆଇଏଏସ ପବନ କୁମାରଙ୍କୁ ଗଜପତି ଜିଲ୍ଲା, ୨୦୨୨ ବ୍ୟାଚର ଆଇଏଏସ ଅଜିତ କୁମାର ଓ ୨୦୨୩ ବ୍ୟାଚର ଆଇଏଏସ ତେଜସ୍ୱିନୀ ବେହେରାଙ୍କୁ ଗଞ୍ଜାମ ଜିଲ୍ଲା ଏବଂ ୨୦୨୩ ବ୍ୟାଚର ଆଇଏଏସ ଶିବ ମାଲବ୍ୟଙ୍କୁ କନ୍ଧମାଳ ଜିଲ୍ଲାରେ ନିୟୋଜିତ କରାଯାଇଛି ।

ଏହି ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ତୁରନ୍ତ ରିପୋର୍ଟ କରିବେ । ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ରହି କ୍ଷେତ୍ରସ୍ତରରେ ରିଲିଫ କାର୍ଯ୍ୟର ସମନ୍ୱୟ, ତତ୍କାଳ ଆବଶ୍ୟକତାର ଆକଳନ, ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ ଏବଂ ଗୁରୁତ୍ୱପୂର୍ଣ୍ଣ ସେବାର ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବେ ।

ନିୟୋଜନ ଅବଧିରେ ସେମାନଙ୍କୁ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ବିବେଚନା କରାଯିବ । ପ୍ୟାକେଜ ପ୍ରଦାନ, ପୁନରୁଦ୍ଧାର କାମ ଓ କ୍ଷୟକ୍ଷତି ଆକଳନ ସ୍ଥିତି ଦେଖିବା ସହ ସ୍ଥିତି ଦେଖି ନିଷ୍ପତ୍ତି ନେଇ ପାରିବେ ।

ଜିଲ୍ଲାପାଳମାନେ ଅଧିକାରୀଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦେବା ସହ ସେମାନଙ୍କ ଯୋଗଦାନ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟକୁ ଅବଗତ କରାଇବେ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅଧିକାରୀମାନେ ଜିଲ୍ଲାପାଳଙ୍କ ପୂର୍ବ ଅନୁମତି ବିନା ନିଜ ନିୟୋଜିତ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ।

Leave a Reply

Your email address will not be published. Required fields are marked *