କନ୍ଧମାଳରେ ଭୂସ୍ଖଳନ ବିଭୀଷିକା: ୬୨୬୯ ଜଣ ସ୍ଥାନାନ୍ତରିତ, ୨ ମୃତଦେହ ଠାବ
କନ୍ଧମାଳ (ସଂକେତ ଟିଭି): ଭୀଷଣ ବାତ୍ୟା ଓ ପ୍ରବଳ ବର୍ଷା ପରେ କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନ ବିଭୀଷିକା ଦେଖାଦେଇଛି। ଅନେକ ସ୍ଥାନରେ ପାହାଡ଼ ଧସିବା ସହ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଛି। ଭୂସ୍ଖଳନରେ ନିଖୋଜ ଥିବା ୧୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଗତକାଲି ଠାବ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ଶେଷକୃତ୍ୟ ସେହି ସ୍ଥାନରେ ସମ୍ପନ୍ନ ହୋଇଥିବା ବେଳେ ଅନ୍ୟ ଜଣଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି।
ଏବେ ମଧ୍ୟ ଉଦ୍ଧାର ଓ ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ୍, ଅଗ୍ନିଶମ ବାହିନୀ, ଏସ୍ଓଜି, ଏନଡିଆରଏଫ ଏବଂ ଡିଭିଏଫ୍ ଆଦି ଟିମ୍ ସାମିଲ ହୋଇଛନ୍ତି। ଏନଡିଆରଏଫ, ଓଡ୍ରାଫ୍, ଅଗ୍ନିଶମ ବାହିନୀ ଓ ମାଇନିଂ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିୟନ୍ତ୍ରିତ ବ୍ଲାଷ୍ଟିଂ କରିବା ସହ ଆଜି ମଧ୍ୟ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି।
ଜିଲ୍ଲାର ମୁଖ୍ୟତଃ ୩ଟି ସ୍ଥାନରେ ବଡ଼ଧରଣର ଭୂସ୍ଖଳନ ହୋଇଛି। ବିଶେଷ କରି ଅଧିକ କୃହୂବାଡ଼ା ଓ ଡାନଗେସୀ ଅଞ୍ଚଳରେ ଭୂସ୍ଖଳନର ପ୍ରଭାବ ଅଧିକ ରହିଛି। ଏହା ବ୍ୟତୀତ ଜିଲ୍ଲାର ବିଭିନ୍ନ ରାସ୍ତାରେ ଛୋଟବଡ଼ ଭୂସ୍ଖଳନ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଇନ୍ଦ୍ରଗଡ଼ ରାସ୍ତାରେ ମଧ୍ୟ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟପଟେ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ବିପଦସଙ୍କୁଳ ଅଞ୍ଚଳରୁ ବ୍ୟାପକ ସ୍ଥାନାନ୍ତରଣ ପ୍ରକ୍ରିୟା କରାଯାଇଛି।
କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ କହିଛନ୍ତି,”୬୨ରୁ ଅଧିକ ଛୋଟବଡ଼ ଗାଁରୁ ମୋଟ ୬୨୬୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ପୋଲିସ ଓ ଅଗ୍ନିଶମ ବାହିନୀର ଟିମ୍ ବିପଦପୂର୍ଣ୍ଣ ଗ୍ରାମଗୁଡ଼ିକରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ବିଭିନ୍ନ ଆଶ୍ରୟସ୍ଥଳୀରେ ରଖିଛନ୍ତି।”
ଏହି ଉଦ୍ଧାର ଓ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଜିଲ୍ଲାପାଳଙ୍କ ସହ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ ମଧ୍ୟ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି। କେବଳ ତଦାରଖ ନୁହେଁ, ଏସ୍ପି ନିଜେ ରେସ୍କ୍ୟୁ ଅପରେସନରେ ମଧ୍ୟ ସାମିଲ ହୋଇଛନ୍ତି।
ବର୍ଷାର ପରିମାଣ କମିଥିଲେ ମଧ୍ୟ ଜିଲ୍ଲାର ଅନେକ ସ୍ଥାନରେ ପାହାଡ଼ରୁ ଏବେ ବି ପାଣି ଝରିବା ବନ୍ଦ ହୋଇନାହିଁ। ଫଳରେ ଭୂସ୍ଖଳନ ଆଶଙ୍କା ଏବେ ବି ରହିଛି। ଅନ୍ୟପଟେ ଜିଲ୍ଲାରେ ପ୍ରାୟ ୮୭୦ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି। ଆସନ୍ତାକାଲି ମଧ୍ୟ ଆଇଏମ୍ଡିର ପୂର୍ବାନୁମାନ ଅନୁଯାୟୀ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ବିପଦସଙ୍କୁଳ ଅଞ୍ଚଳକୁ ନଯିବା ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଭୂସ୍ଖଳନ ପରେ ଏବେ
କନ୍ଧମାଳରେ ଗୋଟିଏ ପଟେ ଚାଲିଛି ରେସ୍କ୍ୟୁ ଅପରେସନ୍, ଅନ୍ୟପଟେ ଚାଲିଛି ରାସ୍ତା ପୁନରୁଦ୍ଧାର ଓ ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ରଖିବାର ପ୍ରୟାସ।
