FeaturedLatestNews

କୋଟିଆ ନିର୍ବାଚନକୁ ବିରୋଧ କରିବାକୁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ୫ ତାରିଖରେ କୋଟିଆରେ ନିର୍ବାଚନ କରାଇବାକୁ ଆନ୍ଧ୍ରପ୍ରଦେଶ ସରକାର ଯୋଜନା କରିଛନ୍ତି। ଏହାକୁ ପ୍ରତିରୋଧ କରିବା ପାଇଁ ଓଡ଼ିଶା ସରକାର ଯୋଜନା କରିଛନ୍ତି। ନିର୍ବାଚନ ଦିନ ସବୁ ଦଳର ନେତା ଏକାଠି ହୋଇ କୋଟିଆ ଜଗିବେ ବୋଲି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ୮ ପ୍ଲାଟୁନ ପୋଲିସ କୋଟିଆରେ ନିୟୋଜିତ ଅଛନ୍ତି। ଚେକ ପୋଷ୍ଟ କରି ଓଡ଼ିଶା ପୋଲିସ ସୀମା ଜଗିଛି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “କୋଟିଆବାସୀ ନିର୍ବାଚନକୁ ବିରୋଧ କରୁଛନ୍ତି। କୋରାପୁଟରେ ସମସ୍ତ ରାଜନୈତିକ ଦଳ ଗୋଟିଏ ମଞ୍ଚରେ ଏକାଠି ହୋଇ ବିରୋଧ କରୁଛନ୍ତି। ସ୍ଥାନୀୟ ଲୋକ, ରାଜନୈତିକ ଦଳ, ସାମାଜିକ ସଂଗଠନ ନିର୍ବାଚନ ଦିନ କୋଟିଆରେ ଏକାଠି ହେବେ ଏବଂ ନିର୍ବାଚନକୁ ପଣ୍ଡ କରିବେ। ବାତ୍ୟା ବେଳେ ଓଡ଼ିଶା ସରକାରଙ୍କ ପ୍ରଶାସନ କୋଟିଆ ସହିତ ଥିଲା। ଆନ୍ଧ୍ରପ୍ରଦେଶରୁ ଯେଉଁ ଚାଉଳ ଗାଡ଼ି ଆସିଥିଲା ତାକୁ ଲୋକେ ଫେରାଇ ଦେଇଛନ୍ତି। ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।”

ସେ ଆହୁରି କହିଛନ୍ତି, “ଗତ ଥର ନିର୍ବାଚନ ବେଳେ କୋଟିଆ ଭିତରେ ବୁଥ କରିଥିଲେ। କିନ୍ତୁ ଚଳିତ ବର୍ଷ କୋଟିଆ ବାହାରେ ତଥା ଆନ୍ଧ୍ର ଭିତରେ ପୋଲିଙ୍ଗ ବୁଥ କରିଛନ୍ତି। ଆମ ପ୍ରଶାସନ ପୁରା ପ୍ରସ୍ତୁତ ଅଛି। କୋଟିଆ ପ୍ରସଙ୍ଗ ଆଜିର ନୁହେଁ। ୧୯୬୮ ମସିହାରେ ସୁପ୍ରିମକୋର୍ଟ ଯାଇଥିଲେ। ୨୦୧୦ରେ ଓଡ଼ିଶା କୋର୍ଟରେ ହାରିଲା। ୨୦୨୧ରେ ଆନ୍ଧ୍ରପ୍ରଦେଶ କୋର୍ଟ ନିର୍ଦ୍ଦେଶ ଅବମାନନା ନେଇ ସୁପ୍ରିମକୋର୍ଟ ଯାଇଥିଲେ ବିଜେଡି ସରକାର। ଏବେ ବିଜେପି ସରକାର ଆଉ ଗୋଟିଏ କଣ୍ଟେପ୍ଟ ପିଟିସନ ଦାଖଲ କରିଛି। ଓଡ଼ିଶା ସରକାର ଆଇନଗତ ଲଢ଼େଇରେ ଆଗକୁ ବଢ଼ିବାକୁ ଆଇନଜୀବୀଙ୍କ ପରାମର୍ଶ ନେଉଛୁ।”

କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ହେଉଥିବା ନିର୍ବାଚନୀ କାର୍ଯ୍ୟକଳାପକୁ ନେଇ ପୁଣିଥରେ ଉତ୍ତେଜନା ଦେଖାଦେଇଛି। ଏହାକୁ କେନ୍ଦ୍ର କରି କୋଟିଆ ସୀମାନ୍ତ ନେରିଡ଼ିବାଲସାଠାରେ ଓଡ଼ିଶା ଓ ଆନ୍ଧ୍ର ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆନ୍ଧ୍ର ପୋଲିସ ଓଡ଼ିଶା ପୋଲିସର ବ୍ୟାରିକେଡ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ଆସନ୍ତା ୫ ତାରିଖରେ ଆନ୍ଧ୍ରପ୍ରଦେଶର ଜିଲ୍ଲା ପରିଷଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। କୋଟିଆ ପଞ୍ଚାୟତ ଅନ୍ତର୍ଗତ ତଳ ଗଞ୍ଜେଇପଦରରୁ ଦୁଇଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଗତକାଲି ନେରେଡିବାଲଶାକୁ ଆନ୍ଧ୍ର ସରକାରଙ୍କ ପିଡିଏସ ଚାଉଳ ଆସୁଥିବା ବେଳେ ଓଡ଼ିଶା ପୋଲିସ ଅନୁମତି ଦେଇନଥିଲା। ଏହାପରେ ଉଭୟ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

Leave a Reply

Your email address will not be published. Required fields are marked *