ସଂବିଧାନ ନମାନିଲେ ଦେଶ ଛାଡ, ସୁପ୍ରିମ୍ କୋର୍ଟ ହ୍ୱାଟ୍ସଆପକୁ ଦେଲେ କଡା ଚେତାବନୀ
ନୂଆଦିଲ୍ଲୀ(ସଂକେତ ଟିଭି): ହ୍ୱାଟ୍ସଆପର ପ୍ରାଇଭେସି ପଲିସି ନେଇ ମାମଲାରେ ସୁପ୍ରିମ୍ କୋର୍ଟ କଡା଼ ମନ୍ତବ୍ୟ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ ହ୍ୱାଟ୍ସଆପ୍କୁ ଭାରତୀୟ ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ସହିତ ଖେଳିବାର କୌଣସି ଅଧିକାର ନାହିଁ ଏବଂ ବାଣିଜ୍ୟିକ ଉଦ୍ଦେଶ୍ୟରେ ଏହି ତଥ୍ୟ ବ୍ୟବହାର କରିବା ଅସମ୍ଭବ।
ସୋଲିସିଟର ଜେନେରାଲ ତୁଷାର ମେହେତା କୋର୍ଟରେ ଉପସ୍ଥାପନ କରିଥିବା ତଥ୍ୟ ଅନୁଯାୟୀ, ହ୍ୱାଟ୍ସଆପ୍ ତା’ର ୨୦୨୧ ପ୍ରାଇଭେସି ପଲିସି ଅଧୀନରେ ୟୁଜର୍ମାନଙ୍କ ଡାଟା ବାଣିଜ୍ୟିକ ଭାବେ ବ୍ୟବହାର କରୁଥିବା ଜଣାପଡିଛି। ଏହି ପଲିସି ବିରୁଦ୍ଧରେ ଆବେଦନ ଉପରେ ଶୁଣାଣି କରି ସୁପ୍ରିମ୍ କୋର୍ଟ ଏହି ମର୍ମନ୍ତୁଦ ମନ୍ତବ୍ୟ ଦେଇଛନ୍ତି।
ମାମଲାର ବିଚାରପତି, ସିଜେଆଇ ସୂର୍ଯ୍ୟକାନ୍ତ ମେଟା (ପୂର୍ବତନ ଫେସବୁକ୍) କମ୍ପାନୀକୁ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି, “ଯଦି ଆପଣ ଭାରତୀୟ ସଂବିଧାନକୁ ଅନୁସରଣ କରିପାରିବେ ନାହିଁ, ତେବେ ଆପଣଙ୍କୁ ଭାରତ ଛାଡିବାକୁ ପଡିବ। ଆମ ଦେଶର କୌଣସି ଗୋଟିଏ ତଥ୍ୟ ସହ ଖେଳାହେବ ନାହିଁ।”
ଅଦାଲତ ସମସ୍ତ ଯୁକ୍ତି ଶୁଣିସାରି ମେଟା କମ୍ପାନୀକୁ କଡା ଭର୍ତ୍ସନା କରିଛନ୍ତି ଏବଂ ଗୋପନୀୟତା ସଂରକ୍ଷଣ ନେଇ ଦୃଢ଼ ଭାବେ ମତ ପ୍ରକାଶ କରିଛନ୍ତି। ଏହି ରାୟ ଭାରତରେ ଡିଜିଟାଲ୍ ଗୋପନୀୟତା ଏବଂ ବହୁରାଷ୍ଟ୍ରୀୟ ଟେକ୍ କମ୍ପାନୀମାନଙ୍କ ଦାୟିତ୍ଵ ଉପରେ ଗୁରୁତ୍ଵପୂର୍ଣ୍ଣ ପ୍ରଭାବ ପକାଇପାରେ।
