FeaturedGeneralLatest

ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଇସ୍ତଫା

ନୂଆଦିଲ୍ଲୀ(ସଂକେତ ଟିଭି): ପଶ୍ଚିମବଙ୍ଗର ରାଜ୍ୟପାଳ ସିଭି ଆନନ୍ଦ ବୋଷ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପ୍ରେରଣ କରିଛନ୍ତି। ରାଜ୍ୟରେ ବିଧାନସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ ଏହି ଇସ୍ତଫା ଘଟିବାରୁ ରାଜନୈତିକ ମହଲରେ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ୨୦୨୨ ନଭେମ୍ବରରେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ବୋଷ ପ୍ରାୟ ସାଢେ ୩ ବର୍ଷ ଧରି ଏହି ଦାୟିତ୍ୱ ନିର୍ବାହ କରିଥିଲେ। ଇସ୍ତଫା ଦେବା ଅବସରରେ ବୋଷ କହିଛନ୍ତି ଯେ ସେ ଏହି ପଦରେ ଅଧିକ ସମୟ ଧରି କାର୍ଯ୍ୟ କରିସାରିଛନ୍ତି ଏବଂ ଆଗକୁ ଏହି ଦାୟିତ୍ୱ ବହନ କରିବାକୁ ଚାହୁଁନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ, ତାମିଲନାଡୁର ରାଜ୍ୟପାଳ ଆର୍.ଏନ. ରବି ବୋଷଙ୍କ ସ୍ଥାନରେ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି।

ଏହି ଇସ୍ତଫା ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ମମତା କହିଛନ୍ତି, “ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ହଠାତ୍ ଇସ୍ତଫା ଖବର ଶୁଣି ମୁଁ ସ୍ତବ୍ଧ ଓ ଗଭୀର ଚିନ୍ତିତ।” ବୋଷ କେଉଁ କାରଣରୁ ଇସ୍ତଫା ଦେଲେ ତାହା ସେ ଜାଣି ନଥିବା କହିଛନ୍ତି।

ନୂତନ ରାଜ୍ୟପାଳଙ୍କ ନିଯୁକ୍ତି ପ୍ରସଙ୍ଗରେ ମମତା କହିଛନ୍ତି ଯେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ତାଙ୍କୁ ଅବଗତ କରାଇଛନ୍ତି ଯେ ଆର୍.ଏନ. ରବି ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଏହି ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କ ସହ କୌଣସି ଆଲୋଚନା କରାଯାଇ ନଥିବା ମମତା ଅଭିଯୋଗ କରିଛନ୍ତି। ଏହାକୁ ଭାରତୀୟ ସମ୍ବିଧାନର ଗରିମାକୁ କ୍ଷୁର୍ଣ୍ଣ କରିବା ଏବଂ ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ ବୋଲି ସେ ମତ ପୋଷଣ କରିଛନ୍ତି।