FeaturedLatestNews

ଟ୍ରେନ୍ ଆଗକୁ ଡେଇଁ ଶାଳୀ-ଭିଣେଇଙ୍କ ଆତ୍ମହତ୍ୟା; ମହିଳା ଥିଲେ ୬ ମାସର ଗର୍ଭବତୀ

ବାଲେଶ୍ବର (ସଂକେତ ଟିଭି): ଗତକାଲି ସନ୍ଧ୍ୟାରେ ଜଳେଶ୍ଵର ରେଳ ଷ୍ଟେସନ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଖଡଗପୁର-ଯାଜପୁର ଲୋକାଲ ଟ୍ରେନ୍ ଆଗରେ ଡେଇଁ ଜଣେ ଶାଳୀ ଏବଂ ତାଙ୍କ ଭିଣେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର ପ୍ରମୁଖ କାରଣ ପ୍ରେମ ସମ୍ପର୍କ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଭିଣେଇ ଜଣକ ରାଜପୁର ଗାଁର ବାସିନ୍ଦା ଏବଂ ତାଙ୍କୁ ୩୫ ବର୍ଷ ହୋଇଥିବା ବେଳେ ଶାଳୀ ଜଣକ ବାଲିଆପାଳ ଥାନା ଅଞ୍ଚଳର ଏବଂ ତାଙ୍କ ବୟସ ୧୮ ବର୍ଷ। ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଗ୍ରାମବାସୀଙ୍କ କହିବା ଅନୁସାରେ, ମୃତ ଯୁବତୀ ଜଣକ ୬ ମାସର ଗର୍ଭବତୀ ଥିଲେ।

ଏହି ଅନ୍ତଃସତ୍ତ୍ଵା ଘଟଣାକୁ ନେଇ ଉଭୟ ଶାଳୀ ଓ ଭିଣେଇଙ୍କ ପରିବାର ମଧ୍ୟରେ ଗତ କିଛି ଦିନ ହେବ ତୀବ୍ର ଅଶାନ୍ତି ଲାଗି ରହିଥିଲା। ଏହି ପାରିବାରିକ କଳହ ଶେଷରେ ଏଭଳି ଚରମ ନିଷ୍ପତ୍ତି ନେବାକୁ ଦୁହିଁଙ୍କୁ ବାଧ୍ୟ କରିଥିବା ଅନୁମାନ କରାଯାଉଛି।

ଗତକାଲି ସନ୍ଧ୍ୟା ୭ଟା ୨୦ ମିନିଟ୍ ସମୟରେ ୧୮୦୩୭ ନମ୍ବରର ଖଡଗପୁର-ଯାଜପୁର ଲୋକାଲ ଟ୍ରେନ୍ ଜଳେଶ୍ଵର ଷ୍ଟେସନ ଅତିକ୍ରମ କରି ରାଜପୁର ଗାଁ ନିକଟରେ ଅପ୍ ଲାଇନ୍ ଦେଇ ଯାଉଥିଲା। ସେହି ସମୟରେ ଉଭୟ ଶାଳୀ-ଭିଣେଇ ହାତ ଧରାଧରି ହୋଇ ଟ୍ରେନ୍ ଆଗରେ ଡେଇଁ ପଡ଼ିଥିଲେ। ଏହି ଦୁଃଖଦ ଘଟଣାରେ ସେମାନେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।

ଘଟଣା ସମ୍ପର୍କରେ ଟ୍ରେନ୍ର ଡ୍ରାଇଭର ରେଳ ବିଭାଗକୁ ଏକ ମେମୋ ପ୍ରଦାନ କରିଥିଲେ। ଖବର ପାଇ ଜଳେଶ୍ଵର ରେଳବାଇ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଜବତ କରିଛି।

ଏହି ଘଟଣାରେ ଏକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି ଯେ, ମୃତ ଯୁବତୀ (ଶାଳୀ) ଙ୍କ ମୁଣ୍ଡରେ ସିନ୍ଦୂର ଲାଗିଥିଲା। ଏହାକୁ ଦେଖି ସେମାନଙ୍କ ମଧ୍ୟରେ ଗୁପ୍ତ ବିବାହ ହୋଇଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ରେଳବାଇ ପୋଲିସ ଏନେଗ ୧୬ ଓ ୧୭ ନମ୍ବରର ଦୁଇଟି ଅପମୃତ୍ୟୁ ମାମଲା (U/D Case) ରୁଜୁ କରି ତଦନ୍ତ ଆରମ୍ଭ କରିଛି।