ଆଇଏଏସ୍ ସ୍ତରରେ ଅଦଳବଦଳ, ପ୍ରଥମେଶ ହେଲେ ମାଲକାନଗିରି ଜିଲ୍ଲାପାଳ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ଏକାଥରକେ ଏକାଧିକ ବରିଷ୍ଠ ପ୍ରଶାସକଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହି ଅଦଳବଦଳ ଅନ୍ତର୍ଗତ, ବରିଷ୍ଠ ପ୍ରଶାସକ ମନୀଷ ଅଗ୍ରୱାଲଙ୍କୁ ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ପ୍ରଶାସକ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ‘ଷ୍ଟାର୍ଟ ଅପ୍ ଓଡ଼ିଶା’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରାଯାଇଛି।
ସେହିପରି ବରିଷ୍ଠ ଆଇଏଏସ୍ ସିଦ୍ଧାର୍ଥ ଦାସଙ୍କୁ ମତ୍ସ୍ୟ ସମ୍ପଦ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି। ମଧୁସ୍ମିତା ସାହୁ ଶିକ୍ଷକ ଶିକ୍ଷା ଓ ତାଲିମ ବିଭାଗର ନିର୍ଦ୍ଦେଶକ ହୋଇଥିବା ବେଳେ ଉପମା କାଲୋଙ୍କୁ ସମ୍ବଲପୁର ଆରଡିସି (ଏନଡି)ର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଲିଲି କୁମାରୀ ସାହୁଙ୍କୁ ପବ୍ଲିକ ଏଣ୍ଟରପ୍ରାଇଜର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଥିବା ବେଳେ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ନିର୍ଦ୍ଦେଶକ ହୋଇଛନ୍ତି ସୋମେଶ ଉପାଧ୍ୟାୟ।
ମାଲକାନଗିରି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କୁ ନିଯୁକ୍ତ କରାଯାଇଛି। ଆଇଏଏସ୍ ଅକ୍ଷୟ ପିଲ୍ଲେ, ଯିଏକି ବଣେଇର ଉପଜିଲ୍ଲାପାଳ ଥିଲେ, ତାଙ୍କୁ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱ ମିଳିଛି। ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁଯାୟୀ, ତାଙ୍କୁ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ମଧ୍ୟ ନିଯୁକ୍ତ କରାଯାଇଛି।
ବରଗଡ଼ ଜିଲ୍ଲା ପଦ୍ମପୁରର ଉପଜିଲ୍ଲାପାଳ ଆଇଏଏସ୍ ଅରୁଗୁଳା ସ୍ନେହାଙ୍କୁ ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ୨୦୨୨ ବ୍ୟାଚର ଆଇଏଏସ୍ ତଥା ତାଳଚେର ସବ୍-କଲେକ୍ଟର ସମୀର କୁମାର ଜେନାଙ୍କୁ ଗଞ୍ଜାମ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି। ରାଇରଙ୍ଗପୁର ଉପ-ଜିଲ୍ଲାପାଳ ଆଇଏଏସ୍ ସୌମ୍ୟ ରଞ୍ଜନ ପ୍ରଧାନଙ୍କୁ କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।
