ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଘରେ ହଙ୍ଗାମା କଲେ ଦୁର୍ବୁତ୍ତ
ଭୁବନେଶ୍ୱର (ସଂକେତ ଟିଭି): ରାଜଧାନୀରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନରେ ହଙ୍ଗାମା ହୋଇଛି। ଗତ ରାତିରେ ପ୍ରାୟ ୧୫ରୁ ୨୦ ଜଣ ମଦ୍ୟପ ଗୁଣ୍ଡା ତାଙ୍କ ପରିବାର ରହୁଥିବା ଭୁବନେଶ୍ବର ୟୁନିଟ-୬ ସ୍ଥିତ ଘରକୁ ଜବରଦସ୍ତ ପଶି ଆସିଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀମାନେ ସୁରକ୍ଷାକର୍ମୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଧମକ ଦେବା ସହ ଘରର କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ ଏବଂ ମାଡ଼ ମଧ୍ୟ କରିଥିଲେ।
ଏନେଇ ବିଜେଡି ମୁଖ୍ୟମନ୍ତ୍ରୀ ବାସଭବନ ଘେରାଓ କରିବାକୁ ଚେତାବନୀ ଦେଇଥିଲା । ବିଜେଡିର ଚେତାବନୀ ପରେ ପୋଲିସର ଆକ୍ସନ ହୋଇଛି । ବରିଷ୍ଠ ନେତା ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା ଘଟଣାରେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଭିଯୁକ୍ତ ସିଦ୍ଧାର୍ଥ ସ୍ବାଇଁ ଓ ଦେବୀପ୍ରସାଦ ଲେଙ୍କାଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ଏହି ଘଟଣାକୁ ନେଇ ପ୍ରତାପ ଜେନା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏହା କେବଳ ଆକ୍ରମଣ ନୁହେଁ ବରଂ ସଶସ୍ତ୍ର ଆତଙ୍କ। ବିଜେପିର କିଛି କର୍ମକର୍ତ୍ତା ଏବଂ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। “ଯେଉଁ ବିଜେଡି ବିଧାୟକ ଲୋକଙ୍କ ବିଶ୍ବାସ ଓ ନିଜ ଦଳକୁ ଟଙ୍କା ପାଇଁ ବିକ୍ରି କଲେ, ସେ ବ୍ୟକ୍ତି ଏବେ ସଶସ୍ତ୍ର ଗୁଣ୍ଡା ପଠାଇ ସତ୍ୟର ସ୍ବରକୁ ଦବାଇବାକୁ ଚାହୁଁଛନ୍ତି। ଏ ଉଭୟ ଅପକର୍ମକୁ ଇତିହାସ କ୍ଷମା କରିବ ନାହିଁ।” ବୋଲି ଶ୍ରୀ ଜେନା କହିଛନ୍ତି।
ଘଟଣାର ତୁରନ୍ତ ପରେ ପୀଡ଼ିତ ପକ୍ଷ ଥାନାରେ ଏତଲା ଦେଇଛନ୍ତି। ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ଏହି ହଙ୍ଗାମା ପରେ ପୂର୍ବତନ ମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଘର ଚତୁଃପାର୍ଶ୍ବରେ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ସାଇଣ୍ଟିଫିକ ଟିମ ପହଞ୍ଚି ଅନୁଧ୍ୟାନ କରିଛି।
