FeaturedLatestNews

ଓଡ଼ିଶା ପୁଲିସରେ ବଡ଼ ନିଯୁକ୍ତି ଘୋଷଣା, ପୂରଣ ହେବ ୭,୬୬୪ ପଦବୀ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ପୁଲିସରେ ବଡ଼ ନିଯୁକ୍ତି ଘୋଷଣା କରାଯାଇଛି। ରାଜ୍ୟ ସରକାର ମୋଟ ୭,୬୬୪ଟି ଖାଲି ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥର ଆଉ OPRB ନୁହେଁ, ବରଂ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ୍ (OUSSSC) ଏହି ପରୀକ୍ଷା ପରିଚାଳନା କରିବ।

କନଷ୍ଟେବଳ ଠାରୁ ଆରମ୍ଭ କରି ସବ୍-ଇନ୍ସପେକ୍ଟର (SI) ପର୍ଯ୍ୟନ୍ତ ମୋଟ ୭,୬୬୪ଟି ଖାଲି ପଦବୀର ନିଯୁକ୍ତି ପ୍ରକ୍ରିୟା OUSSSC ମାଧ୍ୟମରେ କରାଯିବ। ଏହା ଭିତରେ ୯୩୩ଟି SI ପଦବୀ ରହିଛି। ପୂର୍ବରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ପାଇଁ ଏବେ ପରୀକ୍ଷା ହେବ। ୪,୨୧୯ଟି ସିଭିଲ୍ କନଷ୍ଟେବଲ୍ ଏବଂ ୨,୨୧୨ଟି OISF କନଷ୍ଟେବଲ୍ ପଦବୀ ପୂରଣ ହେବ। ସେହିପରି ୩୦୦ଟି କନଷ୍ଟେବଲ୍ (କମ୍ୟୁନିକେସନ୍) ଏବଂ ୯୩୩ଟି SI ପଦବୀ ପୂରଣ ପାଇଁ ଚିଠି କରାଯାଇଛି।

ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ଅଧିକୃତ ଆଦେଶରେ କୁହାଯାଇଛି ଯେ ସରକାର ଗଭୀର ବିଚାରବିମର୍ଶ ପରେ ଏହି ନିଯୁକ୍ତି ଦାୟିତ୍ୱ OUSSSCକୁ ଦେବାକୁ ଅନୁମୋଦନ କରିଛନ୍ତି। OUSSSC ସଚିବଙ୍କୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଶେଷ କଥା ହେଉଛି, SI ଓ ସମାନ ପଦବୀର ନିଯୁକ୍ତି ପୂର୍ବରୁ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ (OPRB) ଅଧୀନରେ ଥିଲା। କିନ୍ତୁ ବିଭିନ୍ନ କାରଣ, ବିଶେଷକରି ବଡ଼ ଦୁର୍ନୀତି ଯୋଗୁଁ ସେହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିନଥିଲା। ଏହାପରେ ସରକାର ଏହି ନିଯୁକ୍ତିକୁ ମଧ୍ୟ OUSSSC ଅଧୀନକୁ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।

ଆଦେଶରେ ସ୍ପଷ୍ଟ କରାଯାଇଛି ଯେ, SI ନିଯୁକ୍ତି ପାଇଁ ପୂର୍ବରୁ ଆବେଦନ କରି ଯୋଗ୍ୟ ବିବେଚିତ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କୁ ନୂତନ ପ୍ରକ୍ରିୟାରେ ସୁଯୋଗ ମିଳିବ। ଗୃହ ବିଭାଗ OPRBକୁ ନିର୍ଦ୍ଦେଶ ଦେଇଛି ଯେ, ପୂର୍ବରୁ SI ନିଯୁକ୍ତି ପାଇଁ ମିଳିଥିବା ସମସ୍ତ ଆବେଦନପତ୍ର, ଡାଟା ଓ ରେକର୍ଡ ତୁରନ୍ତ OUSSSCକୁ ହସ୍ତାନ୍ତର କରାଯାଉ।

ରାଜ୍ୟରେ ବେକାରି ଯୁବବର୍ଗ ମଧ୍ୟରେ ଏହି ଘୋଷଣାକୁ ନେଇ ଉତ୍ସାହ ଦେଖାଦେଇଛି। ଦୀର୍ଘଦିନ ଧରି ପୁଲିସ ନିଯୁକ୍ତି ଅପେକ୍ଷାରେ ଥିବା ପ୍ରାର୍ଥୀମାନେ ଏହାକୁ ସ୍ୱାଗତ କରିଛନ୍ତି। ପ୍ରଶାସନିକ ମହଳରେ ଏହାକୁ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି, ଯାହାଫଳରେ ପ୍ରକ୍ରିୟାରେ ସମନ୍ୱୟ ଓ ସ୍ୱଚ୍ଛତା ବଢ଼ିବ ଏବଂ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ସୁଦୃଢ଼ ହେବ।