ବିଷାକ୍ତ ଗ୍ୟାସ ଯୋଗୁଁ ଦୁଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ
ବାଲେଶ୍ବର (ସଂକେତ ଟିଭି): ପଚା ମାଛର ବିଷାକ୍ତ ଗ୍ୟାସ ଯୋଗୁଁ ଦୁଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ବଳରାମଗଡ଼ି ମେରାଇନ ଥାନା ଅନ୍ତର୍ଗତ ନାଉପାଳଗଡ଼ିରେ ଘଟିଛି। ସମୁଦ୍ରରୁ ମାଛ ମାରି ଆସିଥିବା ଏକ ବୋଟ ମଧ୍ୟରୁ ମାଛ ବାହାର କରିବା ବେଳେ ଏହି ଅଘଟଣ ଘଟିଛି।
ମୃତ ଦୁଇ ଜଣ ଏକ ବଡ଼ ଶଙ୍ଖ ବୋଟର ଦୁଇ ଷ୍ଟାଫ ଥିଲେ। ସେମାନେ ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳର ପ୍ରଭାକର ମଲ୍ଲିକ ଏବଂ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳର ମଙ୍ଗଳା ସୋରେନ ବୋଲି ସୂଚନା ମିଳିଛି। ସମୁଦ୍ରରୁ ଉତ୍ପାଦିତ ମତ୍ସ୍ୟକୁ ବୋଟରେ ଥିବା ଚେମ୍ବରରୁ କାଢ଼ିବାକୁ ଯାଇଥିବା ବେଳେ ଅସାବଧାନତା ଯୋଗୁଁ ସେମାନେ ଭିତରେ ରହି ଯାଇ ଶ୍ୱାସରୁଦ୍ଧ ହୋଇଥିବା ଅନୁମାନ କରାଯାଉଛି।
ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଉଭୟଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣାରେ ବଳରାମଗଡ଼ି ଟ୍ରଲର ଆସୋସିଏସନର ସଭାପତି ବାଦଲ ଦାସ ଗଭୀର ଶୋକ ପ୍ରକାଶ କରିବା ସହ କାରଣ ସ୍ପଷ୍ଟ କରିଛନ୍ତି।
ସମୁଦ୍ରରେ ମାଛ ମାରିବା ସମୟରେ ଛୋଟ ମାଛ ଓ କଙ୍କଡା ଆଦି ଜାଲରେ ଲାଗିଥାଏ। ଟ୍ରଲର କର୍ମଚାରୀମାନେ ତାକୁ ସଂଗ୍ରହ କରି ସେଥିରେ ମାଛ ଖାଦ୍ୟ ପ୍ରସ୍ତୁତ କରି କିଲୋକୁ ୨୦ ଟଙ୍କା ଦରରେ ବିକ୍ରି କରିଥାନ୍ତି। ଏହାକୁ ଆଣିବା ସମୟରେ ପଚି ଗ୍ୟାସ ସୃଷ୍ଟି ହୋଇଥାଏ। ଏହି ବିଷାକ୍ତ ଗ୍ୟାସରେ ଶ୍ୱାସରୁଦ୍ଧ ହୋଇ କର୍ମଚାରୀମାନେ ମୃତ୍ୟୁବରଣ କରିଥାନ୍ତି ବୋଲି ଶ୍ରୀ ଦାସ କହିଛନ୍ତି।
ପୂର୍ବରୁ ମଧ୍ୟ ଏଭଳି ଦୁଇଜଣ କର୍ମଚାରୀ ଏହି ଗ୍ୟାସ ଯୋଗୁଁ ମୃତ୍ୟୁବରଣ କରିଥିଲେ। ତାପରେ ଏଭଳି ପଚା ମାଛ ଆଣିବାକୁ କର୍ମଚାରୀମାନଙ୍କୁ ବାରଣ କରାଯାଇଥିଲା। ହେଲେ ଲୋଭର ବଶବର୍ତ୍ତୀ ହୋଇ ସେମାନେ ଏହାକୁ ଆଣିଥାନ୍ତି। ଏହି ଘଟଣା ପରେ ପୁଣି ଥରେ ଏଭଳି ମୃତ୍ୟୁ ଘଟିଥିବା ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି।
ପୋଲିସ ପକ୍ଷରୁ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଓ ମୃତକଙ୍କ ଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
