ଭିଜିଲାନ୍ସ ଜାଲରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଡିଟର, ୨୮ ଲକ୍ଷ ଟଙ୍କା ଜବତ
ଭୁବନେଶ୍ୱର (ସଂକେତ ଟିଭି): ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ (RDE) କାର୍ଯ୍ୟାଳୟର ଅଡିଟର୍ ଅମ୍ବିକା ପ୍ରସାଦ ରଥ ଗିରଫ ହୋଇଛନ୍ତି। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବା ସହ ତାଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ଜବତ କରିଛି। ଏହାସହ ତାଙ୍କ ଆବାସିକ କୋଠା ଓ ଅଫିସ୍ ରୁମ୍ ତଲାସି କରି ମୋଟ ୨୮ ଲକ୍ଷ ୭୦ ହଜାର ୯ ଶହ ଟଙ୍କା ଜବତ କରାଯାଇଛି।
ଓଡ଼ିଶା ଭିଜିଲାନ୍ସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ଏକ ଡିଗ୍ରୀ କଲେଜର ଜଣେ କର୍ମଚାରୀଙ୍କ ସର୍ଭିସ୍ ବୁକ୍ (ସେବା ପୁସ୍ତିକା) ଅନୁଯାୟୀ MACP ଯୋଜନାରେ ଦରମା ନିର୍ଦ୍ଧାରଣ ବିବରଣୀର ସେବା ଯାଞ୍ଚ ଓ ଆବଶ୍ୟକୀୟ ସଂଶୋଧନ ପାଇଁ ଅଡିଟର ଅମ୍ବିକା ପ୍ରସାଦ ରଥ ୪ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଉକ୍ତ କର୍ମଚାରୀ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଗତକାଲି (ମଙ୍ଗଳବାର) ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିଲା। ଅଡିଟର ଜଣକ କର୍ମଚାରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ ଗିରଫ କରିଛି।
ଗିରଫ ପରେ ଭିଜିଲାନ୍ସ ଟିମ୍ ଭୁବନେଶ୍ୱରର ମଧୁସୂଦନ ନଗରରେ ଥିବା ତାଙ୍କ ଆବାସିକ କୋଠା ଏବଂ ତାଙ୍କ ଅଫିସ୍ ରୁମ୍ ତଲାସି କରିଥିଲା। ଏହି ତଲାସି ବେଳେ ତାଙ୍କ ଘରୁ ୨୭ ଲକ୍ଷ ୪୨ ହଜାର ୯ ଶହ ଟଙ୍କା ଏବଂ ଅଫିସ୍ ଟେବୁଲ ଡ୍ରୟରରୁ ୧ ଲକ୍ଷ ୨୮ ହଜାର ଟଙ୍କା ଜବତ ହୋଇଛି। ଫଳରେ ଲାଞ୍ଚ ଟଙ୍କା ସହ ମୋଟ ୨୮ ଲକ୍ଷ ୭୦ ହଜାର ୯ ଶହ ଟଙ୍କା ଜବତ ହୋଇଛି।
ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତ ଅମ୍ବିକା ପ୍ରସାଦ ରଥଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୪ (ତାରିଖ – ୨୪.୦୩.୨୦୨୬) ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ଅନ୍ତର୍ଗତ ପଞ୍ଜିକୃତ ହୋଇଛି ଏବଂ ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟ, ଅମ୍ବିକା ପ୍ରସାଦ ରଥ ୨୦୦୦ ମସିହାରେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଅଡିଟର ଭାବରେ ସରକାରୀ ଚାକିରି ଆରମ୍ଭ କରିଥିଲେ। ତାଙ୍କର ପ୍ରାରମ୍ଭିକ ଦରମା ୬ ହଜାର ଟଙ୍କା ଥିଲା। ସେ ଉକ୍ତ କାର୍ଯ୍ୟାଳୟରେ ଅଡିଟର ପଦବୀରେ ୨୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଆସୁଛନ୍ତି।
