ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ
ପୁରୀ(ସଂକେତ ଟିଭି): ଭାରତୀୟ ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆଜି (ଶନିବାର) ପୁରୀ ଗସ୍ତରେ ଆସି ସପତ୍ନୀକ ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ଏଥିସହ ମା’ ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଛନ୍ତି। ଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଏସ୍ପି ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
ଶ୍ରୀମନ୍ଦିରରେ ସ୍ଥଳ ସେନାମୁଖ୍ୟ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପାଳ ଓ ପୁରୀ ଏସ୍ପି ତାଙ୍କୁ ସ୍ଵାଗତ ଜଣାଇଥିଲେ। ଏହା ପରେ ମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କରିଥିଲେ। ଏହା ପରେ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ସହିତ କୋଇଲି ବୈକୁଣ୍ଠ ବୁଲି ଦେଖିଥିଲେ। ଏଥିସହ ମହାପ୍ରଭୁଙ୍କ ରୋଷଘର ଦେଖି ସେ ଖୁବ ଆନନ୍ଦ ଅନୁଭବ କରିଥିଲେ। ଦର୍ଶନ ପରେ ସେନାମୁଖ୍ୟଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ପାଟ, ବାନା ଓ ମହାପ୍ରସାଦ ଆଦି ପ୍ରଦାନ କରାଯାଇଥିଲା।
ମହାପ୍ରଭୁଙ୍କ ଦର୍ଶନ ପରେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, “ପୁରୀକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ଆଗାମୀ ଦିନରେ ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ଭାରତୀୟ ସେନା ଉପରେ ମହାପ୍ରଭୁଙ୍କ ଆଶୀର୍ବାଦ ରହୁ ବୋଲି ମୁଁ ଆଜି ପ୍ରାର୍ଥନା କରିଛି। ତାଙ୍କ କୃପାରୁ ଭାରତୀୟ ସେନା ଆଗାମୀ ଦିନରେ ଆସୁଥିବା ଯେକୌଣସି ଚ୍ୟାଲେଞ୍ଜକୁ ସଫଳ ଭାବେ ମୁକାବିଲା କରିପାରିବ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି।”
ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ସୋମନାଥ ଖୁଣ୍ଟିଆ କହିଛନ୍ତି, “ଆଜି ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ନିଜ ପତ୍ନୀ ସହ ଆସି ଶ୍ରୀ ମନ୍ଦିରରେ ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପରେ ଶ୍ରୀମନ୍ଦିର ମୁକ୍ତି ମଣ୍ଡପ, ମା’ ବିମଳା, ଲକ୍ଷ୍ମୀଙ୍କ ମନ୍ଦିର ସମେତ ବିଭିନ୍ନ ପାର୍ଶ୍ୱ ଦେବଦେବୀ ମନ୍ଦିର ବୁଲି ଦର୍ଶନ କରିଥିଲେ। ଶ୍ରୀମନ୍ଦିର ରୋଷଶାଳା, କୋଇଲି ବୈକୁଣ୍ଠକୁ ମଧ୍ୟ ବୁଲି ଦେଖିଥିଲେ। ଭାରତବାସୀଙ୍କ ଉନ୍ନତି ଓ ଭାରତୀୟ ସେନା ପାଇଁ ମହାପ୍ରଭୁଙ୍କୁ ସେ ପ୍ରାର୍ଥନା କରିଥିଲେ।”
ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, “ସ୍ଥଳସେନା ମୁଖ୍ୟ ଶ୍ରୀମନ୍ଦିର ଆସି ଆଜି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଭାରତବାସୀଙ୍କ ମଙ୍ଗଳ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥଳସେନା ମୁଖ୍ୟଙ୍କୁ ସ୍ୱାଗତ କରାଯିବା ସହ ଉପହାର ସ୍ଵରୂପ ମହାପ୍ରଭୁଙ୍କ ବାନା, ମହାପ୍ରସାଦ, ପ୍ରଭୁ ଜଗନ୍ନାଥଙ୍କ ଫଟୋ ପ୍ରଦାନ କରାଯାଇଛି।”
