CrimeFeaturedLatestNews

ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ରାଉରକେଲା (ସଂକେତ ଟିଭି): ରାଉରକେଲା ପୋଲିସ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୋଲିସର ବାରମ୍ବାର ସଚେତନତା ଏବଂ ସରକାରଙ୍କ ଆତ୍ମସମର୍ପଣ ନୀତିରେ ପ୍ରଭାବିତ ହୋଇ ସେ ମୁଖ୍ୟ ସ୍ରୋତକୁ ଫେରିଛନ୍ତି। ଆତ୍ମସମର୍ପଣକାରୀ ମାଓବାଦୀ ଜଣକ ମାଓ ସଂଗଠନର ଗରିଲା ବାହିନୀରେ ସକ୍ରିୟ ଥିଲେ।

ମାଓ ନେତା ଅନମୋଲ ସଂସ୍ପର୍ଶରେ ଆସି ଗତ ଦୁଇ ବର୍ଷ ପୂର୍ବରୁ ମାଓ ସଂଗଠନରେ ସାମିଲ ହୋଇଥିବା ମଙ୍ଗଡ଼ି ହୋନହଗା ନାମକ ଜଣେ ମହିଳା ମାଓବାଦୀ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେ ମାଓ ସଂଗଠନର ଏଲ୍.ଜି.ଏସ୍.ଏମ୍ (ଗରିଲ୍ଲା ସ୍କ୍ୱାଡ୍)ର ଜଣେ ସକ୍ରିୟ ସଦସ୍ୟା ଭାବେ କାର୍ଯ୍ୟ କରୁଥିଲେ। ମଙ୍ଗଡିଙ୍କ ଘର ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାର ଛୋଟାନାଗରା ଥାନା ଅନ୍ତର୍ଗତ ହୋଲୋମୁଲି ଗାଁରେ।

ସେ ମାଓବାଦୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସଂଗଠନରେ ସାମିଲ ହୋଇଥିଲେ ଏବଂ ଅନେକ ହିଂସାତ୍ମକ କାର୍ଯ୍ୟକଳାପରେ ଜଡ଼ିତ ଥିଲେ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଶେଷ କରି ବାଙ୍କ ପଥର ଖଣି ବିସ୍ଫୋରଣ ଏବଂ ରେଳପଥରେ ଆଇ.ଇ.ଡି ବିସ୍ଫୋରଣ ଭଳି ଘଟଣାରେ ତାଙ୍କର ସଂପୃକ୍ତି ରହିଛି।

ଆଜି ସେ ବିଧିବଦ୍ଧ ଭାବେ ରାଉରକେଲା ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ତାଙ୍କୁ ୨ ଲକ୍ଷ ୬୫ ହଜାର ଟଙ୍କାର ଆର୍ଥିକ ସହାୟତା ସହ ପୁନର୍ବାସ ଯୋଜନାରେ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।