ଆଉ ୪ ଦିନ କଲବଲ କରିବ ତାତି, ୨୬ ପର୍ଯ୍ୟନ୍ତ ହିଟ୍ ୱେଭ୍ ଆଲର୍ଟ
ଭୁବନେଶ୍ୱର (ସଂକେତ ଟିଭି): ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ତାତି ଓ ଗୁଳୁଗୁଳି ଲୋକଙ୍କୁ ଅସହ୍ୟ ଯନ୍ତ୍ରଣା ଦେଉଛି। ଏପରି କି ଘରୁ ବାହାରକୁ ବାହାରିବା ପାଇଁ ଲୋକେ ଡରୁଛନ୍ତି।
ଆଜି (ଗୁରୁବାର) ଭୁବନେଶ୍ୱରରେ ଦିନର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି। ମଧ୍ୟାହ୍ନ ସୁଦ୍ଧା ଭୁବନେଶ୍ୱର ଏୟାରପୋର୍ଟ ଅଞ୍ଚଳରେ ୪୨°C ତାପମାତ୍ରା ରେକର୍ଡ କରାଯାଇଛି। ସେପଟେ ଝାରସୁଗୁଡା ସହର ତତଲା କଡ଼େଇରେ ଭାଜି ହେଉଥିବା ବେଳେ ୪୪.୬ ଡିଗ୍ରୀ ସେଲସିୟସ୍ ସହ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି।
ରାଜ୍ୟର ଅଧିକାଂଶ ଜିଲ୍ଳାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ୨୬ ତାରିଖ ପର୍ଯ୍ୟନ୍ତ ତାତି ଓ ଗୁଳୁଗୁଳିରେ ଅଧାରୁ ଅଧିକ ରାଜ୍ୟ ସନ୍ତୁଳି ହେବ। ଆହୁରି ୪ ଦିନ କଲବଲ କରିବ ତାତି, କାଳବୈଶାଖୀ ଆସିଲେ ହିଁ ତାତିରୁ ତ୍ରାହି ମିଳିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ଆଗାମୀ ୨୪ ଘଣ୍ଟା ପାଇଁ ଖୋର୍ଦ୍ଧା, କେନ୍ଦୁଝର, ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗୀର ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ ଜାରି ହୋଇଛି। ଏଥିସହ ଗରମ ଗୁଳୁଗୁଳି ନେଇ ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେଉଁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ଅପରାହ୍ନ ସମୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ବିଜୁଳି ଘଡଘଡି ସହ ପବନ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବହିବାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି।
ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହିତ କେତେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଅସହ୍ୟ ଗ୍ରୀଷ୍ମ ଲହରୀ କାରଣରୁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡୁଛି। ମଧ୍ୟାହ୍ନ ସମୟରେ ରାସ୍ତାଘାଟ ଶୂନ୍ ଶାନ୍ ହୋଇଯାଉଛି। ବାହାରକୁ ବାହାରିଲେ ମୁହଁପୋଡ଼ା ଖରା ଏବଂ ଗରମ ପବନ ଅନୁଭୂତ ହେଉଛି। କେବଳ ତାପମାତ୍ରା ନୁହେଁ, ବାୟୁମଣ୍ଡଳରେ ଆଦ୍ରତା କମ୍ ଥିବାରୁ ଶରୀରରୁ ପ୍ରଚୁର ଝାଳ ବୋହିବା ସହ ଅଂଶୁଘାତର ଭୟ ମଧ୍ୟ ବଢ଼ିଯାଇଛି।
