ଚଳିତ ସପ୍ତାହ ଶେଷ ବା ମେ’ ୨ୟ ସପ୍ତାହ ସୁଦ୍ଧା ଆସିବ ମୌସୁମୀ
ଭୁବନେଶ୍ୱର (ସଂକେତ ଟିଭି): ଚଳିତ ସପ୍ତାହର ଶେଷ ବା ମେ’ ଦ୍ଵିତୀୟ ସପ୍ତାହ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। ତେଣୁ ଏଥର ସ୍ୱାଭାବିକ ସମୟ ମଧ୍ୟରେ ମୌସୁମୀ ଆସିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଦକ୍ଷିଣ ବଙ୍ଗୋପ ସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ ବାତ୍ୟା ଆଶଙ୍କା ନଥିବା ବେଳେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିବ ସୂଚନା ଦେଇଛି ବିଭାଗ। ସେପଟେ ଆସନ୍ତା ୬ରୁ ୭ ଦିନ ମଧ୍ୟରେ ତାତି ବୃଦ୍ଧି ପାଇବ।
ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି। ତେଣୁ ଏଥର ଠିକ୍ ସମୟରେ ଛୁଇଁପାରେ ମୌସୁମୀ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ପ୍ରତିବର୍ଷ ମେ’ ୧୮ରୁ ୧୯ ତାରିଖ ମଧ୍ୟରେ ପ୍ରାୟତଃ ଆଣ୍ଡାମାନ ଛୁଇଁଥାଏ ମୌସୁମୀ ବାୟୁ। ଏହାପରେ ଆଗକୁ ଅଗ୍ରସର ହେବା ସହ କେରଳ ନିକଟରେ ଜୁନ୍ ପ୍ରଥମ ସପ୍ତାହରେ ପହଞ୍ଚିଥାଏ। କେରଳ ଛୁଇଁବାର ୧୦ରୁ ୧୨ ଦିନ ମଧ୍ୟରେ ଓଡ଼ିଶାକୁ ଅଗ୍ରସର ହୋଇଥାଏ ମୌସୁମୀ ବାୟୁ। ହେଲେ ଏଥର ପାଗ ଅନୁକୂଳ ରହିଥିବାରୁ ମୌସୁମୀ ଠିକ୍ ସମୟରେ ଆସିବାକୁ ନେଇ ପୂର୍ବାନୁମାନ ହୋଇଥିବା ବେଳେ ଆଣ୍ଡାମାନ ଛୁଇଁବା ପରେ ଓଡ଼ିଶାରେ କେବେ ଛୁଇଁବ ତାହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ କହିଛି।
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି “ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ଥିବା ଲଘୁଚାପ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟାରେ ସଦୃଶ୍ୟ ଲଘୁଚାପରେ ପରିଣତ ହେବ। କିନ୍ତୁ ଏହାର କୌଣସି ପ୍ରଭାବ ଓଡ଼ିଶା ଉପରେ ନାହିଁ। କାଳବୈଶାଖୀର ପ୍ରଭାବ ୫ ଦିନ ଯାଏଁ ରହିବ। ଆସନ୍ତା ୨୪ ଘଣ୍ଟାରେ ୨୧ଟି ଜିଲ୍ଲା (ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ)ରେ ବର୍ଷା, ବିଜୁଳି, ଘଡ଼ଘଡ଼ି ସହ ୩୦ରୁ ୫୦ କି.ମି. ବେଗରେ ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।”
ଆସନ୍ତାକାଲି ପାଇଁ ୧୩ଟି ଜିଲ୍ଲା (ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ)କୁ ବର୍ଷା, ବିଜୁଳି, ଘଡ଼ଘଡ଼ି ସହ ୩୦ରୁ ୫୦ କି.ମି. ଝଟକା ପବନ ବହିବାର ସମ୍ଭାବନା ଥିବା ବେଳେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ କାଳବୈଶାଖୀ ରହିବ। ସେପଟେ ରାଜ୍ୟରେ ଗରମ ସହ ଅସହ୍ୟ ତାତି ହେଉଥିବା ବେଳେ ୧୮ରୁ ପାରଦ ସ୍ତର ପୁଣି ବଢ଼ି ୨ରୁ ୪ ଡିଗ୍ରୀ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
