FeaturedLatestNews

ପୁରୀ ରଥଯାତ୍ରା: ଭିଡ଼ ନିୟନ୍ତ୍ରଣରେ ଏଆଇ, ଦର୍ଶନରେ ୱାନ୍-ୱେ ବ୍ୟବସ୍ଥା

ପୁରୀ (ସଂକେତ ଟିଭି): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ୨୦୨୬କୁ ଅଘଟଣ ମୁକ୍ତ କରିବା ପାଇଁ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। ବିଶେଷ କରି ପୁରୀ ବଡ଼ଦାଣ୍ଡରେ ଭିଡ଼ ନିୟନ୍ତ୍ରଣ ଏବଂ ଟ୍ରାଫିକ ସୁପରିଚାଳନା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। ଚଳିତବର୍ଷ ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ ପାଇଁ ଟେକ୍ନୋଲୋଜିର ବ୍ୟବହାର କରୁଛି ପୁରୀ ପୋଲିସ ଓ ଜିଲ୍ଲା ପ୍ରଶାସନ।

ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଏବଂ ପ୍ରତ୍ୟେକ ଗଳିରେ ଅତ୍ୟାଧୁନିକ ଏଆଇ (AI) କ୍ୟାମେରା ଲଗାଯାଇଛି। ଟାଉନ ଥାନା ଏବଂ ଜେବିପିସି (JBPC) ଠାରେ ଏକ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇ ଏଆଇ କ୍ୟାମେରା ଦ୍ବାରା ସମ୍ପୂର୍ଣ୍ଣ ବଡ଼ଦାଣ୍ଡ ସହିତ ପୁରୀ ସହର ଉପରେ କଡ଼ା ନଜର ରଖାଯିବ। ଯେଉଁ ଅଞ୍ଚଳରେ ଅତ୍ୟଧିକ ଭିଡ଼ ସୃଷ୍ଟି ହେବ, ତାହାକୁ ନିୟନ୍ତ୍ରଣ କରିବା ପାଇଁ ତତ୍କାଳ ପଦକ୍ଷେପ ଗ୍ରହଣ କରାଯିବ।

ସେପଟେ, ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଶୃଙ୍ଖଳିତ ଦର୍ଶନ ପାଇଁ ୱାନ୍-ୱେ (One-way) ଧାଡ଼ି ବ୍ୟବସ୍ଥା କରାଯିବ। ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକୁ ମଧ୍ୟ ୱାନ୍-ୱେ କରାଯିବ। କେତେକ ଅଞ୍ଚଳରେ କେବଳ ପାଦରେ ଚାଲିକି ଯିବା ପାଇଁ ବ୍ୟବସ୍ଥା ରହିବ ଏବଂ ସେଠାରେ କୌଣସି ଗାଡ଼ି ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ଉତ୍ତରା ଛକରୁ ପୁରୀ ସହର ପର୍ଯ୍ୟନ୍ତ ଥିବା ସମ୍ପୂର୍ଣ୍ଣ ଜାତୀୟ ରାଜପଥ ମଧ୍ୟ ଏଆଇ କ୍ୟାମେରା ନଜରରେ ରହିବ।

ଗତବର୍ଷ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟା ଘଟି ତିନିଜଣ ଭକ୍ତଙ୍କ ମୃତ୍ୟୁ ପରେ ଚଳିତ ବର୍ଷ ରଥଯାତ୍ରାକୁ ସୁଚାରୁରୂପେ ପରିଚାଳନା ପାଇଁ ବରିଷ୍ଠ ଏବଂ ଅଭିଜ୍ଞ ୭ (ସାତ) ଜଣ ଓଡ଼ିଆ ଆଇପିଏସ (IPS) ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିସହିତ, ପୁରୀ ସହରର ବିଭିନ୍ନ ସ୍ଥାନରେ ଏଲଇଡି (LED) ସ୍କ୍ରିନ ଲଗାଯାଇ ଭକ୍ତଙ୍କୁ ୨୪ (ଚବିଶ) ଘଣ୍ଟିଆ ସମସ୍ତ ସୂଚନା ପ୍ରଦାନ କରାଯିବ। ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ଏଭଳି ପ୍ରସ୍ତୁତିକୁ ବୁଦ୍ଧିଜୀବୀ ଓ ସେବାୟତମାନେ ସ୍ବାଗତ କରିଛନ୍ତି।

ଦେବସ୍ନାନ ପୂର୍ଣ୍ଣିମା ସହିତ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଭକ୍ତଙ୍କ ସୁରକ୍ଷା ପାଇଁ ପୁରୀ ପୋଲିସ ପକ୍ଷରୁ ‘ଅପରେସନ କ୍ଲିନ୍’ (Operation Clean) ଆରମ୍ଭ କରାଯାଇଛି। ଏହି ସ୍ବତନ୍ତ୍ର ଡ୍ରାଇଭ୍ ଜରିଆରେ ବିଭିନ୍ନ ସମୟରେ ପୋଲିସ ଅପରାଧୀମାନଙ୍କୁ ଗିରଫ କରି ଜେଲ୍ ପଠାଉଛି। ଗତ ଏକମାସ ମଧ୍ୟରେ ୩୦୦ (ତିନି ଶହ)ରୁ ଅଧିକ ଅପରାଧୀଙ୍କୁ ପୋଲିସ ଗିରଫ କରି ଜେଲ୍ ପଠାଇସାରିଛି।

ଆଗାମୀ ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ସମସ୍ତ ଅପରାଧୀଙ୍କୁ ଗିରଫ କରି ଜେଲ୍ ପଠାଇବାକୁ ସମସ୍ତ ଥାନା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସପି (SP)। ରଥଯାତ୍ରା ସମୟରେ ଅପରାଧୀମାନେ ବାହାରେ ରହିଲେ ବିଭିନ୍ନ ଅଘଟଣା ବା ଅପରାଧ ଘଟାଇବାର ଆଶଙ୍କା ଥିବାରୁ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ପୁରୀ ଏସପି କହିଛନ୍ତି।

ଶେଷରେ, ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ସମାପନ କରିବା ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ନେବାକୁ ସମସ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଆଗାମୀ ରଥଯାତ୍ରା ୨୦୨୬କୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନର ପ୍ରସ୍ତୁତି ଜୋରଦାର ଭାବେ ଜାରି ରହିଛି।