ଏଗ୍ରିଷ୍ଟେକ୍ ଆଇଡି ବାଧ୍ୟତାମୂଳକ ନୁହେଁ: ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସ୍ପଷ୍ଟ କରିଛନ୍ତି ଯେ, ଏଗ୍ରିଷ୍ଟେକ୍ ଆଇଡି ଚାଷୀମାନଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ। ଲୋକସେବା ଭବନରେ ଉପ-ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ ବୈଠକ ପରେ ସେ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି। ଏହି ବୈଠକରେ ଧାନ ପଞ୍ଜୀକରଣ ଓ ଚାଷୀଙ୍କ ପରିଚୟ ପତ୍ର ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଗତ ବର୍ଷ ଯେଉଁ ଚାଷୀମାନେ ଧାନ ବିକ୍ରି କରିଛନ୍ତି, ସେମାନେ ଏଥର ମଧ୍ୟ କୌଣସି ଅସୁବିଧା ବିନା ଧାନ ବିକ୍ରି କରିପାରିବେ। ଏଗ୍ରିଷ୍ଟେକ୍ ଆଇଡି ନଥିଲେ ମଧ୍ୟ ଧାନ ପଞ୍ଜୀକରଣରେ କୌଣସି ସମସ୍ୟା ହେବ ନାହିଁ ବୋଲି ସେ ଗ୍ୟାରଣ୍ଟି ଦେଇଛନ୍ତି।
ଏଗ୍ରିଷ୍ଟେକ୍ ଆଇଡି ପାଇଁ ସରକାର ଚାଷୀଙ୍କ ନିକଟକୁ ଯିବେ। ସମବାୟ ସଂସ୍ଥାଗୁଡ଼ିକରେ ଏହି ଆଇଡି ତିଆରି କରାଯିବ। ଯେଉଁ ଚାଷୀ ସମବାୟକୁ ଆସିପାରିବେ ନାହିଁ, ସେମାନଙ୍କ ଘରକୁ ସରକାରୀ ଅଧିକାରୀ ଯାଇ ଆଇଡି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେ। ଏହି ଆଇଡି ଜେନେରେଟ୍ ହେଲେ ଚାଷୀମାନେ ଆଧାର କାର୍ଡ ଭଳି ଏକ ପରିଚୟ ପତ୍ର ପାଇବେ, ଯାହା ସେମାନଙ୍କ ପାଇଁ ସରକାରୀ ଯୋଜନା ଓ ସୁବିଧା ପାଇବାରେ ସହାୟକ ହେବ।
ଏହି ପ୍ରକ୍ରିୟାରେ ଆଉ ଏକ ବଡ଼ ସୁବିଧା ରଖାଯାଇଛି। ବିଦେଶରେ ରହୁଥିବା ଚାଷୀମାନେ ଭିଡିଓ କନଫରେନ୍ସିଂ (ଭିସି) ମାଧ୍ୟମରେ ନିଜର ପଞ୍ଜୀକରଣ କରିପାରିବେ ଏବଂ ଆଖି ସ୍କାନ୍ (ଆଇ ସ୍କାନ୍) ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ କରିପାରିବେ। ଏହା ଦ୍ୱାରା ବିଦେଶରେ ଥିବା ଚାଷୀମାନେ ମଧ୍ୟ ସହଜରେ ଏଗ୍ରିଷ୍ଟେକ୍ ଆଇଡି ହାସଲ କରିପାରିବେ।
ରାଜସ୍ୱ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଚାଷୀ ପଞ୍ଜୀକରଣ ନେଇ କୌଣସି ସମସ୍ୟା ହେବ ନାହିଁ। ଆବଶ୍ୟକ ପଡ଼ିଲେ ପଞ୍ଜୀକରଣର ଅବଧି ବା ସମୟ ସୀମାକୁ ବୃଦ୍ଧି କରାଯିବ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ପ୍ରକୃତ ଚାଷୀଙ୍କ ପାଖରେ ସରକାରୀ ସହାୟତା ଓ ଯୋଜନା ପହଞ୍ଚିବା ଅଧିକ ସହଜ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି, ଚାଷୀଙ୍କ ସୁବିଧା ପାଇଁ ଏହି ଆଇଡି କାର୍ଡ ବ୍ୟବସ୍ଥା କରାଯାଉଛି। ଭାଗ ଚାଷୀମାନେ ନିଜ ଜମି ମାଲିକଙ୍କ ଠାରୁ ଅଣ୍ଡରଟେକିଙ୍ଗ୍ (ପ୍ରତିଶ୍ରୁତି ପତ୍ର) ଆଣି ଏଗ୍ରିଷ୍ଟେକ୍ ଆଇଡି ତିଆରି କରିପାରିବେ। ସେ ପୁନର୍ବାର ସ୍ପଷ୍ଟ କରିଛନ୍ତି ଯେ, ବିନା ଏଗ୍ରିଷ୍ଟେକ୍ ଆଇଡିରେ ମଧ୍ୟ ଚାଷୀମାନେ ଧାନ ବିକ୍ରି କରିପାରିବେ ଏବଂ ଏଥିରେ କୌଣସି ଅସୁବିଧା ହେବ ନାହିଁ।
