କେରଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଭି.ଡି. ସତୀଶନ
ତିରୁଅନନ୍ତପୁରମ(ସଂକେତ ଟିଭି): କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ୍) କେରଳ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି। ୧୪୦ ଆସନରୁ ୧୦୨ ଆସନ ଜିତି ପ୍ରଚଣ୍ଡ ସଂଖ୍ୟାଗରିଷ୍ଠତା ସାବ୍ୟତ କରିଛି। ଏହି ବିଜୟ ପରେ ଭି.ଡି. ସତୀଶନ ସୋମବାର ପୂର୍ବାହ୍ନରେ ରାଜଧାନୀ ତିରୁବନନ୍ତପୁରମ ସ୍ଥିତ ସେଣ୍ଟ୍ରାଲ ଷ୍ଟାଡିୟମରେ ତାଙ୍କ କ୍ୟାବିନେଟ ସହିତ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ଏହି ଭବ୍ୟ ସମାରୋହରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ, ଲୋକସଭା ସଦସ୍ୟ ରାହୁଲ ଗାନ୍ଧୀ ଏବଂ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ର ଯୋଗ ଦେଇଛନ୍ତି। ସେହିପରି କଂଗ୍ରେସ ଶାସିତ ରାଜ୍ୟ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବଂ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ଶୁଖୁ ମଧ୍ୟ ଉପସ୍ଥିତ ଥିଲେ। ବରିଷ୍ଠ କଂଗ୍ରେସ ନେତା କେସି ବେରୁଗୋପାଳ, ବିଜେପି କେରଳ ସଭାପତି ରାଜୀବ ଚନ୍ଦ୍ରଶେଖର ଏବଂ ସିପିଆଇ ନେତା ବିନୟ ବିଶ୍ବମ ପ୍ରମୁଖ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।
୨୧ ସଦସ୍ୟ ବିଶିଷ୍ଟ ‘ପୂର୍ଣ୍ଣ କ୍ୟାବିନେଟ’ ଗଠନରେ ଆଞ୍ଚଳିକ ଏବଂ ମେଣ୍ଟ ସନ୍ତୁଳନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଭି.ଡି. ସତୀଶନ ରବିବାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥନ ଆର୍ଲେକରଙ୍କୁ ଭେଟି ତାଙ୍କ ଚୂଡ଼ାନ୍ତ ସହଯୋଗୀ ତାଲିକା ଦାଖଲ କରିଥିଲେ। ନୂତନ କ୍ୟାବିନେଟରେ ଭି.ଡି. ସତୀଶନଙ୍କ ସମେତ ମୋଟ୍ ୨୧ ଜଣ ସଦସ୍ୟ ରହିବେ। ମେଣ୍ଟ ଚୁକ୍ତିନାମା ଅନୁଯାୟୀ, ଏହି ମନ୍ତ୍ରିମଣ୍ଡଳରେ ଦୁଇଜଣ ମହିଳା ଏବଂ ଅନୁସୂଚିତ ଜାତି ସମ୍ପ୍ରଦାୟର ଦୁଇଜଣ ସଦସ୍ୟଙ୍କ ସମେତ ୧୪ ଜଣ ନବନିର୍ବାଚିତ ସଦସ୍ୟଙ୍କୁ ସ୍ଥାନ ଦିଆଯାଇଛି।
ମେଣ୍ଟର ମୁଖ୍ୟ ସହଯୋଗୀ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (IUML) ପାଞ୍ଚଟି କ୍ୟାବିନେଟ ଆସନ ପାଇଛି। IUML ରାଜ୍ୟ ସଭାପତି ସୟଦ ସାଦିକ୍ ଅଲି ଶିହାବ ଥାଙ୍ଗଲ୍ ଘୋଷଣା କରିଛନ୍ତି ଯେ ସରକାରଙ୍କ ଅଧା କାର୍ଯ୍ୟକାଳ ସମାପ୍ତ ହେବା ପରେ ଆଞ୍ଚଳିକ ସନ୍ତୁଳନ ବଜାୟ ରଖିବା ପାଇଁ ପ୍ରବୀଣ ନେତା ପରକ୍କଲ୍ ଅବଦୁଲ୍ଲାଙ୍କୁ ମଧ୍ୟ କ୍ୟାବିନେଟରେ ସାମିଲ କରାଯିବ।
