୧୪ରେ ପୋଲିସ ଡିଜିଙ୍କ କାର୍ଯ୍ୟାଳୟକୁ ଘେରାଉ କରିବ ବିଜେଡି
ଭୁବନେଶ୍ୱର (ସଂକେତ ଟିଭି): ବିଜୁ ଜନତା ଦଳ (ବିଜେଡି) ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଯାଇଛି ବୋଲି ପ୍ରବଳ ଅଭିଯୋଗ ଆଣିଛି। ବିଜେପିର ଡବଲ ଇଞ୍ଜିନ ସରକାର କ୍ଷମତାସୀନ ହେବା ପରଠାରୁ ରାଜ୍ୟରେ ପୋଲିସ କର୍ମୀଙ୍କ ସହିତ ନିରୀହ ଲୋକଙ୍କୁ ହତ୍ୟା, ରାହାଜାନୀ, ଅରାଜକତା, ବର୍ବରତା, ଦୁଷ୍କର୍ମ ଓ ଲୁଣ୍ଠନ ଭଳି ଘଟଣା ବହୁମାତ୍ରାରେ ବୃଦ୍ଧି ପାଇଛି।
ବିଜେଡି ଉପସଭାପତି ପ୍ରତାପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବାଲିଅନ୍ତାରେ ଦିନ ଦ୍ଵିପ୍ରହରରେ ପୋଲିସ ଉପସ୍ଥିତିରେ ସୌମ୍ୟ ରଞ୍ଜନଙ୍କୁ ପିଟି ପିଟି ମାରି ଦିଆଗଲା। ସେହିପରି ନୟାଗଡ଼ରେ ମାଫିଆମାନେ ଜଣକୁ ହତ୍ୟା କରିଛନ୍ତି। ଏଭଳି ଘଟଣା ସ୍ପଷ୍ଟ କରୁଛି ଯେ ରାଜ୍ୟର ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି।
ଏଭଳି ଅମାନୁଷିକ ଘଟଣା ପ୍ରତି କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ବିଜେପି ସରକାରଙ୍କର ଏକ ପ୍ରକାର ସ୍ଥାଣୁତା ଓ ଅପାରଗତା ସଭ୍ୟ ସମାଜକୁ ଚକିତ ଓ ବିଚଳିତ କରୁଛି। ବିଜେଡି ନେତା ଶ୍ରୀ ଜେନା ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ବଡ଼ ଦୁଃଖ ଓ ପରିତାପର କଥା ଯେ, ଶାନ୍ତିପୂର୍ଣ୍ଣ ରାଜ୍ୟ ଓଡ଼ିଶା ଆଜି ଭାରତର ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ତାଲିକାରେ ୧ (ପ୍ରଥମ) ସ୍ଥାନ ଅଧିକାର କରିଛି। ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ବିଜେଡି ଅଭିଯୋଗ କରିଛି।
ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେଡି ଆସନ୍ତା ୧୪ (ଚଉଦ) ତାରିଖ ଦିନ କଟକ ଜିଲ୍ଲା ବିଜେଡି ପକ୍ଷରୁ ପୋଲିସ ଡିଜିଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ। ଏହି ଅବସରରେ ଡିଜିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ।
ତୁରନ୍ତ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଜେଡି ରାଜ୍ୟବ୍ୟାପୀ ରାସ୍ତାକୁ ଓହ୍ଲାଇବ ବୋଲି ପ୍ରେସମିଟ୍ରେ ବିଜେଡି ନେତା ସୂଚନା ଦେଇଛନ୍ତି। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେଡି ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ ଘୋଷଣା କରିଛି।
