ନ୍ୟାୟ ଦାବିରେ ୧୫ କିଲୋମିଟର ସାଇକେଲରେ ବୁହାଗଲା ମୃତଦେହ
ବାଲେଶ୍ବର (ସଂକେତ ଟିଭି): ନ୍ୟାୟ ଦାବିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ପରିସରରେ। ହତ୍ୟା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବିରେ ପରିବାର ଲୋକେ ମୃତଦେହକୁ ସାଇକେଲରେ ବୁହାଇ ପ୍ରାୟ ୧୫ କିଲୋମିଟର ଦୂର ଥାନାକୁ ଆଣିଥିଲେ। ଥାନା ଆଗରେ ମୃତଦେହ ରଖି ୪ ଘଣ୍ଟା ଧାରଣା ଦେବାପରେ ଏସପିଙ୍କ ପ୍ରତିଶ୍ରୁତି ପାଇ ଶେଷରେ ପରିବାର ଲୋକେ ଘରକୁ ଫେରିଛନ୍ତି।
ଘଟଣାଟି ଖଇରା ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ ଘଟିଛି। ଘରର ଛାତ ପକାଇବାକୁ ନେଇ ୧୦ ତାରିଖରେ ସୁରେନ୍ଦ୍ର ସେଠୀଙ୍କ ପରିବାର ଲୋକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିଲା। ଏଥିରେ ଭଉଣୀ କମଳା ସେଠୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଶକୁନ୍ତଳା ସେଠୀ ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ଖଇରା ପୋଲିସ ଜଣେ ମହିଳାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟ ତିନି ଅଭିଯୁକ୍ତ ଫେରାର ଅଛନ୍ତି।
କମଳାଙ୍କ ମୃତ୍ୟୁ ପାଇଁ ଦାୟୀ ମାନସ ଜେନାଙ୍କୁ ତୁରନ୍ତ ଗିରଫ ଦାବିରେ ପରିବାର ଲୋକେ ଆଜି ଖଇରା ଥାନାରେ ଧାରଣା ଦେଇଥିଲେ। ହରିପୁରରୁ ଖଇରା ପ୍ରାୟ ୧୫ କିଲୋମିଟର ରାସ୍ତା ସେମାନେ ଏକ ସାଇକେଲରେ ସିଡ଼ି ବାନ୍ଧି ସେଥିରେ କମଳାଙ୍କ ମୃତଦେହ ବାନ୍ଧି ଥାନାକୁ ଆଣିଥିଲେ। ଖଇରା ପୋଲିସ ଆମ୍ବୁଲାନ୍ସ ନେଇ ଯିବାକୁ କହିଥିଲେ ବି ପରିବାର ଲୋକେ ନିଜ ଜିଦରେ ଅଟଳ ରହିଥିଲେ।
ଏହି ଘଟଣାରେ ମୃତ କମଳାଙ୍କ ସମର୍କୀୟ ବିମଳ ସେଠୀ କହିଛନ୍ତି, “ଆମର ଦୁଇଜଣ ଲୋକଙ୍କୁ ସେମାନେ ହାଣି ଦେଇଛନ୍ତି, ଆଜିକୁ ତିନିଦିନ ହେଲାଣି। ଏବେ ମୃତଦେହ ପଚିବାକୁ ବସିଲାଣି। ଏ ପର୍ଯ୍ୟନ୍ତ କୌଣସି ଲୋକ ଗିରଫ ହେଉ ନାହାନ୍ତି। ଗ୍ରାମବାସୀ ଓ ଭଦ୍ରଲୋକଙ୍କ ଉପସ୍ଥିତିରେ ଏ ଘଟଣା ଘଟିଛି। ସେ ଲୋକ ନାଁରେ ଖଇରା ଥାନାରେ ୨୨ଟା ମାମଲା ରହିଛି। ଏଭଳି ସ୍ଥିତିରେ ଦୁଇଜଣଙ୍କୁ ହାଣି ପକାଇଲେ। ଆମେ ପ୍ରାୟ ୧୫ କିଲୋମିଟର ସାଇକେଲରେ ମୃତଦେହ ଆଣିଛୁ।”
ଘଟଣା ଖବର ପାଇ ବାଲେଶ୍ୱର ଏସପି ପ୍ରତ୍ୟୁଷ ଦିବାକର ଖଇରା ଥାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଧାରଣାରତ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ଏସପି କହିଛନ୍ତି, “ଅଭିଯୋଗକାରୀ ପରିବାର ଲିଖିତ ଭାବେ ସେମାନଙ୍କ ଦାବି ଦେଇ ଯାଇଛନ୍ତି। ସେମାନଙ୍କ ଦାବି ଥିଲା ଯେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ଜମିବାଡ଼ି ବିବାଦର ସମାଧାନ କରାଯାଉ। ଖଇରା ତହସିଲଦାର ଏ ସମ୍ପର୍କରେ ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି। ପୋଲିସ ପକ୍ଷରୁ ଅଭିଯୁକ୍ତମାନଙ୍କୁ ଅତି ଶୀଘ୍ର ଗିରଫ କରାଯିବ। ସେମାନେ ପାଖାପାଖି ୩/୪ ଘଣ୍ଟା ଏଠାରେ ରହିଥିଲେ। ଆଶା କରୁଛି ଘଟଣାକୁ ନେଇ ଶାନ୍ତି ବଜାୟ ରହିବ।”
