ଅପହରଣ ପରେ ବ୍ୟବସାୟୀ ହତ୍ୟା ମାମଲା: ଝିଆରୀ ଓ ତାଙ୍କ ବୟଫ୍ରେଣ୍ଡ ସମେତ ୯ ଗିରଫ
ବ୍ରହ୍ମପୁର(ସଂକେତ ଟିଭି): ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀ ଅଞ୍ଚଳର ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା। ଗତକାଲି ପୋଲିସ ବ୍ୟବସାୟୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରିଥିଲା।
ଆଜି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ମୃତ ବ୍ୟବସାୟୀଙ୍କ ପୁତୁରା, ଝିଆରୀ, ତାଙ୍କ ପୁରୁଷ ବନ୍ଧୁ ସମେତ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଅପହରଣ ସମୟରେ ବ୍ୟବହୃତ ହୋଇଥିବା ମାଉଜର ସମେତ ୧୫ଟି ମୋବାଇଲ ଫୋନକୁ ଜବତ କରିଛି ପୋଲିସ। ମାମଲାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।
ଗିରଫ ଅଭିଯୁକ୍ତମାନଙ୍କ ତାଲିକା:
ଗିରଫ ଅଭିଯୁକ୍ତମାନେ ହେଲେ— ମୃତ ସୁଧୀର ପାତ୍ରଙ୍କ ଝିଆରୀ ନିବେଦିତା ପାତ୍ର, ପୁତୁରା ତୁଷାର କୁମାର ପାତ୍ର, ନିବେଦିତାଙ୍କ ବୟଫ୍ରେଣ୍ଡ୍ କାଳିଆ ଓରଫ କାଳୁ ଚରଣ ପ୍ରଧାନ, କାଳୁର ସହଯୋଗୀ ହିଞ୍ଜିଳିକାଟୁ ରାଳବ ଅଞ୍ଚଳର ଜିତୁନ ପଲେଇ, ବୁଗୁଡ଼ା ଥାନା ରାମଣ୍ଡା ଅଞ୍ଚଳର କମଳ ଓରଫ ନାରାୟଣ ପ୍ରଧାନ, ବୁଗୁଡ଼ା ଥାନା ବି.ବ୍ରହ୍ମପୁର ଅଞ୍ଚଳର ଟୁଲୁ ଓରଫ ଆଶିଷ ମହାପାତ୍ର, ହିଞ୍ଜିଳିକାଟୁ ଖରିଡା ଗ୍ରାମର ଶୁଭମ୍ ନାୟକ, ହିଞ୍ଜିଳିକାଟୁ ସାରୁ ଅଞ୍ଚଳର ଶୁଭମ୍ ଗୈଡ, ସୁରତ ଅଞ୍ଚଳର ଗୋଲୁ ଓରଫ୍ ଲମ୍ବୁ ଓରଫ ସୂର୍ଯ୍ୟ ପ୍ରତାପ ସିଂ।
ପରିବାର ଲୋକଙ୍କ ସମ୍ପୃକ୍ତି ନେଇ ସନ୍ଦେହ:
ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ପୋଲିସ ଆଇଜିଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର, ବ୍ରହ୍ମପୁର ଏସପି ଦାୟିତ୍ୱରେ ରହିଥିବା ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର କିଭଳି ଏବଂ କେଉଁ ପରିସ୍ଥିତିରେ ପ୍ଲଟ୍ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିଲା ତାର ପର୍ଦ୍ଦାଫାସ କରିଥିଲେ।
ପୋଲିସ ତଦନ୍ତ ସମୟରେ ହିଁ ସ୍ପଷ୍ଟ ହୋଇଯାଇଥିଲା ଯେ ଏହି ଅପହରଣ ଘଟଣାରେ ତାଙ୍କ ପରିବାରର ସଂପୃକ୍ତି ରହିଛି। ୧୫ ତାରିଖରେ ଅପହରଣ ଘଟଣା ଘଟିଥିବା ବେଳେ ଏନେଇ ଗୋପାଳପୁର ଥାନାରେ ଏତଲା ହୋଇଥିଲା। ମାମଲା (ନଂ-୨୧୩/୨୬) ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପ୍ରଥମିକ ତଦନ୍ତରୁ ହିଁ ପରିବାର ବର୍ଗଙ୍କ ଉପରେ ପୋଲିସର ସନ୍ଦେହ ବଢ଼ିଥିଲା।
ଝିଆରୀ ଥିଲା ମାଷ୍ଟରମାଇଣ୍ଡ୍:
ଏସପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି, “ମୃତ ପାତ୍ରଙ୍କ ଝିଆରୀ ନିବେଦିତା ପାତ୍ର ହିଁ ଏହି ଅପହରଣ ଘଟଣାର ମାଷ୍ଟରମାଇଣ୍ଡ୍ ରହିଥିଲା। ନିବେଦିତା ନିଜର ବୟଫ୍ରେଣ୍ଡ୍ ତଥା ଜିଲ୍ଲାର ଗାଙ୍ଗପୁର ଥାନା କାଳିଆଗୁଡା ଗ୍ରାମର ୨୮ ବର୍ଷୀୟ କାଳୁ ଚରଣ ପ୍ରଧାନଙ୍କୁ ଏହି ଅପହରଣ କରିବା ପାଇଁ ଯୋଜନା କରିଥିଲେ।”
“ମୃତ ସୁଧୀରଙ୍କ ଭାଇ ମନୋଜ କୁମାର ପାତ୍ରଙ୍କ ଗତ କିଛି ମାସ ତଳେ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ମୃତକଙ୍କ ପରିବାର ବର୍ଗ ସୁଧୀରଙ୍କ ପରିବାର ହିଁ ଏପରି କରିଥିବା ସନ୍ଦେହ କରୁଥିଲେ।” ସେପଟେ ପାରିବାରିକ ଓ ସମ୍ପତ୍ତି ତଥା ଆର୍ଥିକ ବିବାଦକୁ ନେଇ ଏଭଳି ଅପହରଣ ହୋଇଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି।
କିଭଳି ଯୋଜନା କରାଯାଇଥିଲା:
ଶେଷରେ ନିଜର ଝିଆରୀ ନିବେଦିତା ପାତ୍ର ହିଁ ନିଜର ବୟଫେଣ୍ଡଙ୍କୁ ନିଜ ଦାଦାଙ୍କ ପାଖରେ ଅଧିକା ଟଙ୍କା ରହିଥିବା କହିଥିଲା ଏବଂ ଏପରି କାଣ୍ଡ ଘଟାଇବାକୁ ଯୋଜନା କରିଥିଲା। ନିବେଦିତାଙ୍କ ଭାଇ ତୁଷାର ପାତ୍ର ଏଥିରେ ସହମତି ଜଣାଇ ବୟଫ୍ରେଣ୍ଡ୍ ଘରକୁ ଯିବା ଆସିବା କରିଥିଲେ।
ଯୋଜନା ମୁତାବକ ବୟଫ୍ରେଣ୍ଡ କାଳୁ ସୁରତର କିଛି ଅପରାଧୀ— ଜିତୁନୁ ପ୍ରଧାନ, ସୂର୍ଯ୍ୟ ପ୍ରଧାନ ସିଂ ଏବଂ ତାଙ୍କ ସମ୍ପର୍କୀୟ ମାନଙ୍କୁ ଏକତ୍ରିତ କରାଇଲା। କିଏ ଫୋନ୍ କରିବ, କିଏ ଟଙ୍କା ମାଗିବ, କିଭଳି ଅପହରଣ ହେବ —ଏହି ସମସ୍ତ ଯୋଜନା କରାଯାଇଥିଲା।
ଘଟଣାର କ୍ରମ:
ଅପହରଣ ଘଟଣା ସନ୍ଧ୍ୟା ୬.୪୦ ରୁ ୬.୪୬ ମଧ୍ୟରେ ହୋଇଥିବା ବେଳେ କାଳୁ ପ୍ରଧାନ ହିଞ୍ଜିଳି ଅଞ୍ଚଳର ଜିତୁନୁ ପଲେଇଙ୍କୁ ଏହି ଅପରାଧରେ ସାମିଲ କରାଇଥିଲେ। ଅପହରଣରେ ପ୍ରଥମେ ବୋଲର ଗାଡ଼ି ବ୍ୟବହାର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ହୁଣ୍ଡଇ ଭେନ୍ୟୁ ଗାଡ଼ି ବ୍ୟବହାର କରାଯାଇଥିଲା। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ନାରାୟଣ ପ୍ରଧାନ ଓ ଆଶିଷ ମହାପାତ୍ର ସହଯୋଗ କରିଥିଲେ। ଏହି ଦୁହେଁ ମଦ ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟ କରିଥିଲେ।
ମୃତ୍ୟୁ ଓ ଶବ ଫୋପାଡ଼ା:
ଅଭିଯୁକ୍ତମାନେ ଜଙ୍ଗଲ ମଧ୍ୟରେ ଏବଂ ପରବର୍ତ୍ତୀ ସମୟରେ ଏକ ମନ୍ଦିର ନିକଟରେ ପ୍ଲଟ୍ ବ୍ୟବସାୟୀଙ୍କୁ ବାରମ୍ବାର ଅତ୍ୟାଧିକ ମାଡ଼ ମାରିଥିଲେ। ଏହାଯୋଗୁଁ ଘଟଣା ଦିନ ବିଳମ୍ବିତ ରାତ୍ର ଅର୍ଥାତ୍ ୧୬ ତାରିଖ ଭୋର ସକାଳ ସମୟରେ ହିଁ ପ୍ଲଟ୍ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିଲା। ପରେ ଅଭିଯୁକ୍ତମାନେ ସୋରଡ଼ା ଠାରେ ମୃତକଙ୍କ ଶବକୁ ଫୋପାଡ଼ି ଚାଲିଯାଇଥିଲେ।
ସେଠାରୁ ଅଭିଯୁକ୍ତମାନେ ବାଲିଗୁଡ଼ା ଯାଇ କିଛି ଘଣ୍ଟା ରହିବା ପରେ ଛତିଶଗଡ଼ ଅଭିମୁଖେ ଯାଇଥିଲେ। ଘଟଣାରେ ପୋଲିସ ବୋଲର ଡ୍ରାଇଭର ଶୁଭମ୍ ନାୟକ ଓ ତାର ସହଯୋଗୀ ଶୁଭମ୍ ଗୈଡ଼ ସମେତ ଝିଆରୀ, ପୁତୁରା, ବୟଫ୍ରେଣ୍ଡ୍ ସମେତ ମୋଟ ନଅ ଜଣଙ୍କୁ ଗିରଫ କରିଛି। ଏଥିରେ ସଂପୃକ୍ତ ଅନ୍ୟ ଅପରାଧୀଙ୍କୁ ଚିହ୍ନଟ କରି ସାରିଥିବା କୁହାଯାଇଛି।
କୋର୍ଟ ଚାଲାଣ ଓ ଜବତ:
ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ପରେ ଅଧିକ ତଦନ୍ତ ପାଇଁ ପୋଲିସ ରିମାଣ୍ଡରେ ଆଣି ତଦନ୍ତ କରିବ। ଏହି ଅପହରଣରେ ବ୍ୟବହୃତ ବୋଲର ସମେତ ହୁଣ୍ଡାଇ ଭେନ୍ୟୁ କାର, ୭.୬୫ ଏମଏମର ମାଉଜର ସହିତ ଜୀବନ୍ତ ଗୁଳି ଜବତ କରାଯାଇଛି। ଅଭିଯୁକ୍ତ କାଳୁ ଚରଣ ପ୍ରଧାନ ଜିପିଏସ୍ ଟ୍ରାକର ବ୍ୟବହାର କରୁଥିଲେ ବୋଲି ପୋଲିସ କହିଛି।
